ଔଷଧ ଡିପୋ, ହସ୍ପିଟାଲରେ ଚଢ଼ାଉ

ଭୁବନେଶ୍ୱର, (ବ୍ୟୁରୋ)/କଟକ ଅଫିସ, ୨୧।୪: କୋଭିଡ ମହାମାରୀ ସମୟରେ ଔଷଧ ଓ ଚିକିତ୍ସା ଉପକରଣ ବେଆଇନ ଭାବେ ଗଚ୍ଛିତ ଓ କଳାବଜାର ରୋକିବା ନେଇ ଗଠିତ ଫ୍ଲାଇଂ ସ୍କ୍ବାଡ୍‌ ପକ୍ଷରୁ ଚଢାଉ ଆରମ୍ଭ ହୋଇଛି। ମଙ୍ଗଳବାର ଟୁଇନ୍‌ ସିଟି କଟକ ଓ ଭୁବନେଶ୍ୱରର ବିଭିନ୍ନ ଔଷଧ ଡିପୋ, ଡାକ୍ତରଖାନାରେ ଚଢ଼ାଉ କରାଯାଇଛି। କଟକର କାଠଗଡ଼ାସାହି, ଭାଣପୁର, ପ୍ରତାପନଗରୀ ଏବଂ ଭୁବନେଶ୍ୱରର ପାହାଳ ଓ ୟୁନିଟ୍‌-୩ ସ୍ଥିତ ଔଷଧ ଡିପୋରେ ଚଢାଉ କରାଯାଇଛି। ଏଥିସହିତ କଳିଙ୍ଗ ହସ୍ପିଟାଲରେ ସ୍କ୍ବାଡ୍‌ ପହଞ୍ଚି ଔଷଧ ଗଚ୍ଛିତ ସମ୍ପର୍କରେ ଯାଞ୍ଚ କରିଛି। ଡିପୋର ସମସ୍ତ ରେକର୍ଡ ଅନୁଧ୍ୟାନ କରିବା ସହ ବିଭିନ୍ନ ହସ୍ପିଟାଲ ଏବଂ ଅନ୍ୟାନ୍ୟ ସଂସ୍ଥାକୁ ବଣ୍ଟନ କରାଯାଉଥିବା ଔଷଧ ଓ ଷ୍ଟକ୍‌ ସମ୍ପର୍କରେ ଯାଞ୍ଚ କରାଯାଇଛି। କୋଭିଡ୍‌-୧୯ ଔଷଧ ବଣ୍ଟନ ବ୍ୟବସ୍ଥା, ଔଷଧ ବିତରକ ଏବଂ ମେଡିିକାଲ ଡିପୋର ସମସ୍ତ ତଥ୍ୟ ସଂକ୍ରାନ୍ତରେ ପ୍ରତିଦିନ ଅପ୍‌ଡେଟ୍‌ କରିବାକୁ ସ୍କ୍ବାଡ୍‌ ନିର୍ଦ୍ଦେଶ ଦେଇଛି। ଏହି ଟିମ୍‌ରେ ଡ୍ରଗ୍ସ ଇନ୍ସପେକ୍ଟର, ସ୍ପେଶାଲ ଟାସ୍କ ଫୋର୍ସ, କ୍ରାଇମବ୍ରାଞ୍ଚର ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ସାମିଲ ଥିଲେ।
ରାଜ୍ୟରେ କରୋନା ଔଷଧ ବେଆଇନ ଭାବେ ବିକ୍ରି ହେଉଥିବା ଗୋଇନ୍ଦା ବିଭାଗ ହାତରେ ସୁରାକ ଲାଗିଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ୨୨ଟି ରାଜ୍ୟସ୍ତରୀୟ ଫ୍ଲାଇଂସ୍କ୍ବାଡ୍‌ ଗଠନ ହୋଇଛି। କଟକ ଓ ଭୁବନେଶ୍ୱରରେ କଳାବଜାର ରୋକିବାକୁ ୭ଟି ଫ୍ଲାଇଂସ୍କ୍ବାଡ୍‌ ଟିମ୍‌ ଗଠନ କରାଯାଇଥିବାବେଳେ ରାଜ୍ୟର ଅନ୍ୟ ସ୍ଥାନ ପାଇଁ ୧୫ଟି ଟିମ୍‌ ଗଠିତ ହୋଇଛି। ସୋମବାର ଭୁବନେଶ୍ୱର ଡିଜି କ୍ୟାମ୍ପ ଅଫିସରେ କ୍ରାଇମବ୍ରାଞ୍ଚ ଏଡିଜି ଯଶୋବନ୍ତ ଜେଠୱାଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଔଷଧ କଳାବଜାରକୁ ରୋକିବା ପାଇଁ ନିଷ୍ପତ୍ତିି ନିଆଯାଇଥିଲା।

Share