ନିଶା ନିବାରଣ କେନ୍ଦ୍ର ନାଁରେ ହରିଲୁଟ୍‌

ଯାଜପୁର ଅଫିସ,୨୧ା୧୧: ନିଶା ନିବାରଣ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟନ ହୋଇଛି। ସେଥିମଧ୍ୟରୁ ଯାଜପୁର ଜିଲାରେ ଥିବା ଏକ ନିଶା ନିବାରଣ କେନ୍ଦ୍ର ବା ଇଣ୍ଟିଗ୍ରେଟେଡ୍‌ ରିହାବିଲିଟେଶନ ସେଣ୍ଟର ଫର୍‌ ଏଡିକ୍ସ (ଆଇଆର୍‌ସିଏ) ନିମନ୍ତେ ଅନୁଦାନ ଯୋଗାଇ ଦିଆଯାଇଛି। ହେଲେ କୌଣସି କେନ୍ଦ୍ର ନଥାଇ ଭୂତ କେନ୍ଦ୍ର ଭାବେ ଦାୟିତ୍ୱ ନେଇଥିବା ସଂସ୍ଥା ଉକ୍ତ ଅର୍ଥକୁ ହରିଲୁଟ କରୁଥିବାର ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଜିଲା ପ୍ରଶାସନର କେତେକ ଅଧିକାରୀ ସମ୍ପୂର୍ଣ୍ଣ ଅବଗତ ଥାଇ ମଧ୍ୟ ଜିଲାପାଳଙ୍କୁ ବର୍ଷ ବର୍ଷ ଧରି ଅନ୍ଧକାରରେ ରଖିଥିବା ଚର୍ଚ୍ଚା ହେଉଛି। ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ତଥ୍ୟ ଅନୁଯାୟୀ ୨୦୧୬/୧୭ ଆର୍ଥତ୍କ ବର୍ଷରୁ ଯାଜପୁର ସଦର ମହକୁମାର ମାନସାପୋଲଠାରେ ଏକ ନିଶା ନିବାରଣ କେନ୍ଦ୍ର ଅଛି ବୋଲି ସରକାରୀ ଭାବେ ଦର୍ଶାଯାଉଛି। ରିପୋର୍ଟରେ ଏହି କେନ୍ଦ୍ରରେ ମୋଟ ୧୫ଟି ଶଯ୍ୟା ରହିଛି। ଡାକ୍ତର ଓ ନର୍ସ ମଧ୍ୟ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି ବୋଲି ରିପୋର୍ଟ କହୁଛି। ଏହି ସଂସ୍ଥାର ପରିଚାଳନା ଦାୟିତ୍ୱ ଏକ ସେବା ପ୍ରତିଷ୍ଠାନକୁ ଦିଆଯାଇଛି। ପ୍ରତ୍ୟେକ ବର୍ଷ ଏହି ନିଶା ନିବାରଣ କେନ୍ଦ୍ର ପାଇଁ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ଶସକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ ୨୨ଲକ୍ଷ ୨୬ ହଜାର ୪୨୦ ଟଙ୍କା ଅନୁଦାନ ମିଳୁଛି। ହେଲେ ମାନସାପୋଲଠାରେ ସେଭଳି କୌଣସି ସଂସ୍ଥା ନାହିଁ ବୋଲି ଜଣାପଡିଛି।

Share