Categories: ଜାତୀୟ

ଡ୍ରଗ୍ସ ଚୋରା କାରବାର: ମ୍ୟାନମାରରୁ ଭାରତ ଲମ୍ବିଛି ଚେର, ୬ ମାସରେ ୨୭୧ କୋଟି ଟଙ୍କାର ଡ୍ରଗ୍ସ ଜବତ…

ଆଇଜଲ,୧୯।୬ : ଭାରତରେ ହେଉଥିବା ଡ୍ରଗ୍ସ ଚୋରା କାରବାରର ଚେର ମ୍ୟାନମାରରୁ ଲମ୍ବିଛି। ଅନୁସନ୍ଧାନକାରୀ ସଂସ୍ଥା ଚଳିତ ବର୍ଷ ଜାନୁଆରୀରୁ ଥିମଧଧ୍ୟରେ ମିଜୋରାମରେ ୨୭୧ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି। ମିଜୋରାମ ଏକ୍ସାଇଜ ଏବଂ ନାର୍କୋଟିକ୍ସ ବିଭାଗ ଜାନୁଆରୀରୁ ଜୁନ ମଧ୍ୟରେ ୨୭.୭ କିଲୋଗ୍ରାମ ହେରୋଇନ ଜବତ କରିଛି। ଯାହାର ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ୧୩୮କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ମିଜୋରାମରେ ଜବତ ହୋଇଥିବା ଅଧିକାଂଶ ହେରୋଇନ ମ୍ୟାନମାରରୁ ଭାରତକୁ ଚୋରା ଚାଲାଣ କରାଯାଇଥିଲା।

 

ନାର୍କୋଟିକ୍ସ ବିଭାଗ ଦ୍ୱାରା ଜବତ ହୋଇଥିବା ଡ୍ରଗ୍ସରେ ୧୫.୩ କିଲୋଗ୍ରାମ ଗାଞ୍ଜା ଏବଂ ୪ କିଲୋଗ୍ରାମ ମେଟମେଟାମାଇନ ଟାବଲେଟ ଅନ୍ତର୍ଭୁକ୍ତ ଥିଲା। ଅଧିକାରୀମାନେ କହିଛନ୍ତି ଜାନୁଆରୀରୁ ମେ ମଧ୍ୟରେ ୧୩୨.୫ କୋଟି ଟଙ୍କା ମୂଲ୍ୟର ୨୬ କିଲୋଗ୍ରାମ ହେରୋଇନ ମଧ୍ୟ ଜବତ କରାଯାଇଛି। ମିଜୋରାମ ପୋଲିସ ୨୧୦ କିଲୋଗ୍ରାମ ସିଉଡୋଫେଡ୍ରାଇନ ଟାବଲେଟ ଏବଂ ୨୫.୩୮ କିଲୋଗ୍ରାମ ମିଥେମେଟାମାଇନ ଟାବଲେଟ ଜବତ କରିଛି। ଗତ ବର୍ଷ ୪୯ କିଲୋଗ୍ରାମ ହେରୋଇନ ଏବଂ ୨୯ କିଲୋଗ୍ରାମ ମିଥେମେଟାମାଇନ ଟାବଲେଟ ଜବତ କରାଯାଇଥିଲା।

ମିଜୋରାମ ସରକାରଙ୍କ ସାମାଜିକ କଲ୍ୟାଣ ତଥା ଏକ୍ସାଇଜ ମନ୍ତ୍ରୀ ଲାଲ୍ରିନୱା ଡ୍ରଗ୍ସ ପ୍ରସଙ୍ଗରେ କମିଟିର ଏକ ବୈଠକରେ ରାଜ୍ୟରେ ଡ୍ରଗ୍ସର ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମିଜୋରାମର ସହରାଞ୍ଚଳ ପରିବର୍ତ୍ତେ ଗ୍ରାମାଞ୍ଚଳରେ ଡ୍ରଗ୍ସର ବ୍ୟବହାର ବୃଦ୍ଧି ପାଉଛି । ସାରା ରାଜ୍ୟରେ ଏକ ସଚେତନତା ଅଭିଯାନ ଚଳାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ଡ୍ରଗ୍ସ ବିରୋଧରେ ଲଢ଼େଇ ପାଇଁ ସରକାର ଡ୍ରଗ୍ସ କମିଟିକୁ ୩ କୋଟି ଟଙ୍କା ପ୍ରଦାନ କରିଛନ୍ତି।

Share