ମହାକାଳପଡ଼ାରେ ବୃଦ୍ଧିପାଉଛି ନିଶା କାରବାର

ମହାକାଳପଡ଼ା,୧୭ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଦିନକୁଦିନ ନିଶା ଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି । ତେବେ ଅନେକ ଯୁବ ପିଢ଼ି ନିଶା ଦ୍ରବ୍ୟ ସେବନ କରି (ଯକୃତ ସଂକ୍ରମିତ ହେଉ ବା ରାସ୍ତା ଦୁର୍ଘଟଣା) ଅକାଳରେ ଜୀବନ ଯାଉଥିବା ନଜିର ରହିଛି। ବିଶେଷକରି ଏହି ଅଞ୍ଚଳରେ ରନ୍ଧା ଦେଶୀମଦ ବହୁଳ ପରିମାଣରେ ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ସୂଚନା ଅନୁସାରେ, କେତେଜଣ ଦେଶୀ ମଦ ବ୍ୟବସାୟୀ ଅତି ଚତୁରତାର ସହ ଗୋପନ ଭାବେ ଦେଶୀ ରନ୍ଧାମଦ (ଜଳା)କୁ ୨୦୦ ଶହ ଗ୍ରାମ ପଲିଥିନ ପ୍ୟାକେଟ ପ୍ରସ୍ତୁତ କରିବା ସହ ପେଟିରେ ପ୍ୟାକିଂ କରି ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ଆଉ କେତେଜଣ ନିଶା ବ୍ୟବସାୟୀ ବଡ଼ ବଡ଼ ପ୍ଲାଷ୍ଟିକ ଜାରରେ ଦେଶୀ ମଦକୁ ଭର୍ତ୍ତି କରି ମାଟିରେ ପୋତି ରଖିଥାନ୍ତି। ସମୟ ସୁବିଧା ଦେଖି ବିଳମ୍ବିତ ରାତିରେ ପିକ୍‌ଅପ ଭ୍ୟାନ ଯୋଗେ ଯାଜପୁରର ଡୁବୁରି, ପାରାଦୀପ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଜିଲାର ନିଶା ବ୍ୟବସାୟୀଙ୍କୁ ଭଲ ଦରରେ ବିକ୍ରି କରିଥାନ୍ତି। ଆଉ କେତେଜଣ ନିଶା ବ୍ୟବସାୟୀ ହାଣ୍ଡିଆ ପ୍ରସ୍ତୁତ କରି ଘରେ ଘରେ ବିକ୍ରୟ କରିଥାନ୍ତି। ତେବେ ଏହି ହାଣ୍ଡିଆକୁ ପ୍ରସ୍ତୁତ କରିବା ପାଇଁ ଘରୋଇ ବାଡ଼ି ବଗିଚାରେ କଞ୍ଚାମାଲ ମିଳିଥାଏ। ଏହି କଞ୍ଚାମାଲ ମଧ୍ୟରେ ଏକ ଔଷଧୀୟ ବୃକ୍ଷ ପତ୍ର ରସ ସହିତ ପାତାଳଗରୁଡ଼ ଚେର ଶୁଖାଇ ଚୂର୍ଣ୍ଣ କରି ଅରୁଆ ଚାଉଳ ଗୁଣ୍ଡରେ ମିଶାଇ ୪ଦିନ ପର୍ଯ୍ୟନ୍ତ ଖରାରେ ଶୁଖାଯାଏ। ପରେ ବାଖର ପ୍ରସ୍ତୁତ ହୁଏ। ଏହାକୁ ଭାତରେ ମିଶାଇ ଏକ ନିବୁଜ ହାଣ୍ଡିରେ ରଖି ୨ ଦିନ ପର୍ଯ୍ୟନ୍ତ ଶଢ଼ା ଯାଏ। ପରେ ଏଥିରୁ ହାଣ୍ଡିଆ ପ୍ରସ୍ତୁତ କରାଯାଏ। ଏହାକୁ ପିଇଲେ ଭଲ ନିଶା ହୋଇଥାଏ। ଫଳରେ ଯୁବପିଢ଼ି ସହ ମହିଳାପୁରୁଷମାନେ ନିଶା ସେବନ କରୁଛନ୍ତି।
ଅପରପକ୍ଷରେ ଏହି ଅଞ୍ଚଳରେ ଅନେକ ଯୁବପିଢ଼ି ଦେଶୀ, ବିଦେଶୀ ନିଶାଦ୍ରବ୍ୟ ପାନକରି ଗାଡ଼ି ଚଲାଉଥିବାରୁ ରାସ୍ତା ଦୁର୍ଘଟଣାରେ ଅକାଳରେ ଜୀବନ ଯାଉଛି। ବିଶେଷକରି ବତିଘର, ଜମ୍ବୁ, ରାମନଗର, ଖରିନାସୀ, ପେଟଛେଲା, ବଉଳକଣି, ସୁନିତି, ନାଞ୍ଜୁରା ଆଦି ଅଞ୍ଚଳରେ ଦେଶୀ, ବିଦେଶୀ ନିଶାଦ୍ରବ୍ୟ ପ୍ରସ୍ତୁତ ଓ କାରବାର ଅଧିକ ରହିଛି। ଅପରପକ୍ଷରେ ଏହି ଅଞ୍ଚଳର କେତେଜଣ ବିଦେଶୀ ମଦ ବ୍ୟବସାୟୀ ବିଭିନ୍ନ ସ୍ଥାନକୁ ଯୁବକମାନଙ୍କ ସହାୟତାରେ ପେଟି ପେଟି ମଦ ନେଇ ଦୋକାନ ବଜାରରେ ପହଞ୍ଚାଉଛନ୍ତି। ଏଥିପ୍ରତି ଅବକାରୀ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।