Categories: ଜାତୀୟ

ଡାର୍କ ନେଟ୍‌ରେ ଡ୍ରଗ୍ସ କାରବାର

ନୂଆଦିଲ୍ଲୀ,୭ା୬: ନାର୍କୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ମଙ୍ଗଳବାର ଦେଶବ୍ୟାପୀ ଡ୍ରଗ୍ସ ଚାଲାଣ କରୁଥିବା ଏକ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରାଯାଇଛି। ଚଢ଼ାଉ ବେଳେ ୧୫,୦୦୦ ବୋଲ୍ଟସ ଲାଇସେର୍ଜିକ ଏସିଡ୍‌ ଡାଇଥିଲାମାଇଡ୍‌ (ଏଲ୍‌ଏସ୍‌ଡି) ଜବତ କରାଯାଇ ୬ ଛାତ୍ରଙ୍କୁ ଗିରଫ କରାଯାଇଛି। ଏହାକୁ ଡାର୍କ ନେଟ୍‌ ଜରିଆରେ ଚାଲିଥିବା ସବୁଠୁ ବଡ଼ ଡ୍ରଗ୍ସ କାରବାର ବୋଲି କୁହାଯାଉଛି।
ଏଲ୍‌ଏସ୍‌ଡି ହେଉଛି ଏକ ସିନ୍ଥେଟିକ୍‌ କେମିକାଲଭିତ୍ତିକ ଡ୍ରଗ୍‌, ଯାହାକୁ ହେଲୁସିନୋଜିଏନ୍‌ ଭାବେ ବର୍ଗୀକୃତ କରାଯାଇଛି। ଡାର୍କ ନେଟ୍‌ରେ ପରିଚାଳିତ ଏହି ନେଟ୍‌ଓ୍ବର୍କ ପେମେଣ୍ଟ ପାଇଁ କ୍ରିପ୍ଟୋକରେନ୍ସି ବ୍ୟବହାର କରୁଥିଲା। ଏହାର ଜାଲ ପୋଲାଣ୍ଡ, ନେଦରଲାଣ୍ଡ୍ସ, ଆମେରିକା ଓ ଭାରତର ବିଭିନ୍ନ ରାଜ୍ୟରେ ସକ୍ରିୟ ରହିଛି। ଏନ୍‌ସିବି ଉପମହାନିର୍ଦ୍ଦେଶକ (ନର୍ଦର୍ନ ରେଞ୍ଜ) ଜ୍ଞାନେଶ୍ୱର ସିଂ କହିଛନ୍ତି, ୨୦୨୧ରେ କର୍ନାଟକରେ ୫,୦୦୦ ବୋଲ୍ଟସ୍‌ ଏଲ୍‌ଏସ୍‌ଡି ଜବତ ହୋଇଥିଲା। ୨୦୨୨ରେ ମଧ୍ୟ କୋଲକାତା ଏନ୍‌ସିବି ଏତେ ପରିମାଣର ଏଲ୍‌ଏସ୍‌ଡି ଜବତ କରିଥିଲା। କିନ୍ତୁ ବର୍ତ୍ତମାନ ଜବତ ହୋଇଥିବା ୧୫,୦୦୦ ଏଲ୍‌ଏସ୍‌ଡି, ଅଦ୍ୟାବଧି ସର୍ବାଧିକ। ଏହି ବିପଜ୍ଜନକ ଡ୍ରଗ୍‌ର ବ୍ୟବହାର ଯୁବପିଢ଼ି ଅଧିକ ମାତ୍ରାରେ କରୁଥିବା ଦେଖିବାକୁ ମିଳୁଛି। ଲୁକ୍କାୟିତ ଇଣ୍ଟରନେଟ୍‌ ପ୍ଲାଟଫର୍ମ ଜରିଆରେ ଏହାର ଚାଲାଣ କରାଯାଉଥିଲା।

Share