Categories: ଜାତୀୟ

ମୋଦିଙ୍କ ବାୟୋପିକ୍‌ ନିର୍ମାତାଙ୍କ ଡ୍ରଗ୍ସ ଲିଙ୍କ: ସିଂଘଭି

ନୂଆଦିଲ୍ଲୀ, ୩୦।୮-ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ସହ ଡ୍ରଗ୍‌ର ସମ୍ପର୍କ ଥିବା ନେଇ ତଦନ୍ତ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ନିର୍ମାତା ସନ୍ଦିପ୍‌ ସିଂଙ୍କ ବିରୋଧରେ ଡ୍ରଗ୍‌ କାରବାର ଅଭିଯୋଗ ଆସିଛି। ସନ୍ଦିପ୍‌ଙ୍କର ଭାଜପା ଏବଂ ଗୁଜରାଟ ସରକାରଙ୍କ ସହ ସମ୍ପର୍କ ରହିଛି। ନିକଟରେ ତାଙ୍କୁ ଗୁଜରାଟ ସରକାର ବହୁ କୋଟି ଟଙ୍କାର ଠିକା ଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ଭାଜପାରୁ କିଏ ସନ୍ଦିପ୍‌ଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି ବୋଲି କଂଗ୍ରେସ ମୁଖପାତ୍ର ଅଭିଷେକ ସିଂଘଭି ପ୍ରଶ୍ନ କରିଛନ୍ତି। ସୁଶାନ୍ତ ସିଂଙ୍କର ଘନିଷ୍ଠ ସହଯୋଗୀ ବୋଲି ଦାବି କରୁଥିବା ଏହି ଚଳଚ୍ଚିତ୍ର ନିର୍ମାତା ଗତ କିଛି ମାସ ମଧ୍ୟରେ ମହାରାଷ୍ଟ୍ର ଭାଜପା କାର୍ଯ୍ୟାଳୟକୁ ୫୩ ଥର ଫୋନ୍‌ କରିଥିବା ସିଂଘଭି କହିଛନ୍ତି। ସିବିଆଇ ତଦନ୍ତ ପାଇଁ ତତ୍ପରତା ଦେଖାଇବା ପଛରେ ସନ୍ଦିପ୍‌ ରହିଛନ୍ତି କି? ଭାଜପା ଏଭଳି ଲୋକଙ୍କ ସହ କ’ଣ ପାଇଁ ସମ୍ପର୍କ ରଖିଛି ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି। ସେ କ’ଣ ପାଇଁ ବାରମ୍ବାର ମହାରାଷ୍ଟ୍ର ଭାଜପା କାର୍ଯ୍ୟାଳୟକୁ ଫୋନ୍‌ କରୁଥିଲେ ବରିଷ୍ଠ ନେତା ଦେବେନ୍ଦ୍ର ଫଡ୍‌ନଭିସ ଏବଂ ନୀତୀନ ଗଡ଼କରୀ ଏହାର ଉତ୍ତର ଦେବାକୁ ସିଂଘଭି ଦାବି କରିଛନ୍ତି।

Share