Categories: ଜାତୀୟ

କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା: ଓଡ଼ିଶା ଲିଙ୍କ୍‌

ମୁମ୍ବାଇ, ୫ା୧୦: କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କ ପୁଅ ଆର୍ୟନଙ୍କ ସହ ୧୬ଜଣଙ୍କୁ ଏନ୍‌ସିବି ଗିରଫ କରିଛି। ରବିବାର ଏନ୍‌ସିବି ୮ ଜଣଙ୍କୁ ଗିରଫ କରିଥିବା ବେଳେ ମଙ୍ଗଳବାର ଆଉ ୮ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅବଦୁଲ୍‌ କାମଦାର ଶୈଖ୍‌(୩୦), ଶ୍ରେୟାସ୍‌ ସୁରେନ୍ଦର ନାୟାର(୨୩), ମନିଷ ରାଜଗାରିଆ(୩୦) ଏବଂ ଅଭିନ ସାହୁ(୩୦)। ସେହିପରି ଦିଲ୍ଲୀସ୍ଥିତ ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀର ନାମାସ୍‌’କ୍ରାଏର ଅତିରିକ୍ତ ନିର୍ଦ୍ଦେଶକ ସମୀର ସେହଗଲ୍‌, ଗୋପାଳଜୀ ଆନନ୍ଦଙ୍କ ସମେତ ମାନବ ସିଂଘଲ ଏବଂ ଭାସ୍କରା ଅରୋରାଙ୍କୁ ଏନ୍‌ସିବି ଗିରଫ କରିଛି। ସେମାନେ ଏହି ଡ୍ରଗ୍ସ ପାର୍ଟି ଆୟୋଜନରେ ମୁଖ୍ୟ ଭୂମିକା ନିଭାଇଥିଲେ ବୋଲି ଜଣାପଡ଼ିଛି। ସେପେଟ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ମନିଷ ଓ ଅଭିନଙ୍କ ଘର ଓଡ଼ିଶାରେ। ମନିଷ ରାଉରକେଲା ବାସିନ୍ଦା ହୋଇଥିବା ବେଳେ ଅଭିନଙ୍କ ଘର ରଘୁନାଥପାଲି ବୋଲି ଜଣାପଡ଼ିଛି। ପୂର୍ବରୁ ଗିରଫ ହୋଇଥିବା ଇଶମିତ ସିଂ ଏବଂ ମହକ ଯଶଓ୍ବାଲଙ୍କୁ ଅଭିନ ଡ୍ରଗ୍ସ ଯୋଗାଉଥିଲେ ବୋଲି କୁହାଯାଉଛି।

ଆର୍ୟନଙ୍କ ସମେତ ଅରବାଜ ସେଠ୍‌ ମର୍ଚାଣ୍ଟ, ମୁନ୍‌ମୁନ୍‌ ଧମେଚା, ବିକ୍ରାନ୍ତ ଛୋକର, ଇଶ୍‌ମିତ ସିିଂ, ନୁପୁର ସାରିକା, ଗୋମିତ ଚୋପ୍ରା ଏବଂ ମୋହକ ଯଶଓ୍ବାଲଙ୍କୁ ଗିରଫ ପରେ ଏନ୍‌ସିବି ସୋମବାର ସେମାନଙ୍କୁ ଅକ୍ଟୋବର ୭ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି।

Share