କଡ଼ା ସୁରକ୍ଷା ଭିତରେ ମାତିଲେ ଅପରାଧୀ

ଭୁବନେଶ୍ୱର,୨୧।୧୦(ସତ୍ୟଜିତ୍‌ ରାଉତ): ଦୁର୍ଗାପୂଜା ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି। ସୁରକ୍ଷା ପାଇଁ ବରିଷ୍ଠ ଅଧିକରୀଙ୍କ ଦାୟିତ୍ୱରେ ୩୧ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସହରକୁ ରଖାଯାଇଥିବା ବେଳେ ଅପରାଧୀ ଏହାକୁ ଖାତିର କରୁନାହାନ୍ତି। ଶୁକ୍ରବାର ସାରେ ଦୁର୍ବୃତ୍ତମାନେ ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ ନିକଟ ରାସ୍ତାକଡ଼ରେ ପାର୍କିଂ ହୋଇଥିବା ଏକ କାର୍‌ର କାଚ ଭାଙ୍ଗି ଚୋରି କରିଛନ୍ତି। ଏନେଇ କାର୍‌ ମାଲିକ ତଥା ବଡ଼ଗଡ଼ ଥାନା ଅଞ୍ଚଳର ଅଜିତାଭ ମହାନ୍ତି ଶହୀଦନଗର ଥାନାରେ ଏତଲା ଦେଇଛନ୍ତି। ତାଙ୍କ କାର୍‌ରୁ ୨୫ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଓ ଗୋଟିଏ ଲାପଟପ୍‌ ଚୋରି ହୋଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ସିସିଟିଭି ଯାଞ୍ଚ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ଅଜିତାଭ ତାଙ୍କ ବଡ଼ଭାଇ ଅମିତାଭଙ୍କ ସହ ସା ପ୍ରାୟ ୭ଟାରେ ଏସ୍‌ପ୍ଲାନେଡ୍‌ ମଲ୍‌କୁ ଶପିଂ କରିବାକୁ ଯାଇଥିଲେ। ସେମାନେ କାର୍‌କୁ ମଲ୍‌ ନିକଟସ୍ଥ ଏକ ମାର୍ବଲ୍‌ ଦୋକାନ ସାମ୍ନାରେ ପାର୍କିଂ କରିଥିଲେ। ପ୍ରାୟ ୩୫ ମିନିଟ୍‌ ପରେ ମଲ୍‌ରୁ ସେମାନେ ଫେରିବା ପରେ କାର୍‌ର କାଚ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଯାଞ୍ଚ କରିବା ପରେ କାର୍‌ରୁ ଚୋରି ହୋଇଥିବା ଜଣାପଡ଼ିଥିଲା। ତେବେ ସର୍ବସାଧାରଣ ସ୍ଥାନରେ ଏଭଳି ଘଟଣା ସୁରକ୍ଷାକୁ ନେଇ ପ୍ରଶ୍ନ ଛିଡ଼ା କରିଛି। ମା’ଙ୍କ ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ ପୂଜା ସହ ରାବଣପୋଡ଼ି ଓ ଭସାଣ ଉତ୍ସବ ଆଗକୁ ଥିବାବେଳେ ଅପରାଧୀମାନେ ଏହି ସମୟରେ ଗହଳିର ସୁଯୋଗ ନେଇ ଅଧିକ ସକ୍ରିୟ ହୋଇପଡ଼ିବେ ବୋଲି କୁହାଯାଉଛି। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି।

Share