ଜାଳେଣିର ବିକଳ୍ପ ଶୁଖିଲା ପତ୍ର

କେନ୍ଦୁଝର,୯।୫(ନରେଶ୍‌ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର)ମନୁଷ୍ୟ ସଭ୍ୟତା ସହ ଜଙ୍ଗଲ ବହୁଆଗରୁ ଜଡ଼ିତ। ଜଙ୍ଗଲ ଖାଦ୍ୟ, ବସ୍ତ୍ର, ବାସ ଆଦି ଯୋଗାଇ ଦେଇଥାଏ। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ଜଙ୍ଗଲ ଓ ପରିବେଶର ଅବକ୍ଷୟ ହେବାକୁ ଲାଗିଥିବାରୁ ଜଳବାୟୁରେ ପରିବର୍ତ୍ତନ ଘଟୁଛି। ତେଣୁ ଏବେ ଜଙ୍ଗଲର ଉପାଦେୟତା ସମସ୍ତେ ବୁଝି ପାରୁଛନ୍ତି। ବିଶେଷକରି ଜାଳେଣି ପାଇଁ କାଠର ଆବଶ୍ୟକତା ରହିଛି। ଏହାର ବିକଳ୍ପ ଭାବେ ଯଦିଓ ଗ୍ୟାସ୍‌, ବିଦ୍ୟୁତ୍‌ ହିଟର ରହିଛି, ତାହା ବ୍ୟୟବହୁଳ ଓ ଚାହିଦା ମୁତାବକ ମିଳୁ ନ ଥିବାରୁ ଲୋକମାନେ ଜଙ୍ଗଲ ଉପରେ ନିର୍ଭରଶୀଳ। ଏଭଳି ସ୍ଥିତିରେ ଜଙ୍ଗଲର ସୁରକ୍ଷା, ଜଙ୍ଗଲକୁ ଭୟାବହ ଅଗ୍ନିକାଣ୍ଡରୁ ରକ୍ଷାକରିବା ପାଇଁ କେନ୍ଦୁଝର ଜିଲାର ବହୁ ଅଞ୍ଚଳରେ ମହିଳାମାନେ ଶୁଖିଲା ପତ୍ରକୁ ସଂଗ୍ରହ କରି ଜାଳେଣି ରୂପେ ବ୍ୟବହାର କରୁଛନ୍ତି। ଯଦିଓ ଏହା ଜାଳେଣି ସମସ୍ୟାକୁ ସମ୍ପୂର୍ଣ୍ଣ ଦୂର କରିପାରୁନାହିଁ ତଥାପି ଏହା ଦ୍ୱାରା ଜଙ୍ଗଲର ସୁରକ୍ଷା କରାଯାଇପାରୁଛି। ପତ୍ର ସଂଗ୍ରହକାରୀ ଶୁଖିଲା ପତ୍ରକୁ ଗୋଟାଇ ଆଣୁଥିବାରୁ ଜଙ୍ଗଲରେ ନିଅଁା ବ୍ୟାପିିବା ଆଶଙ୍କା କମୁଛି।

ପ୍ରକାଶ ଯେ, ସାଧାରଣତଃ ବସନ୍ତ ଋତୁରେ ଗଛରୁ ପତ୍ରଝଡ଼ା ଦିଏ। କେନ୍ଦୁଝର ଜିଲା ଜଙ୍ଗଲଗୁଡ଼ିକରେ ଶାଳଗଛ ଅଧିକ ଥିବାରୁ ଲୋକମାନେ ସେଥିରୁ ଝଡ଼ୁଥିବା ଶୁଖିଲା ପତ୍ର ସଂଗ୍ରହ କରିଥାନ୍ତି। ଜିଲାର ସଦର, ପାଟଣା, ଘଟଗାଁ, ସାହାରପଡ଼ା, ଝୁମ୍ପୁରା, ଚମ୍ପୁଆ, ବାଂଶପାଳ, ତେଲକୋଇ ଆଦି ବ୍ଲକ୍‌ ଅଞ୍ଚଳରେ ଅନେକ ପରିବାର ଶୁଖିଲା ପତ୍ର ସଂଗ୍ରହ କରି ଜାଳେଣି ଭାବେ ବ୍ୟବହାର କରିଥାନ୍ତି। ଲୋକମାନେ ସଂରକ୍ଷିତ ଓ ଗ୍ରାମ ନିକଟରେ ଥିବା ଶାଳ, ଆକାଶିଆ, ୟୁକାଲପଟାସ, ଝାଉଁ ଆଦି ଜଙ୍ଗଲରୁ ଜାଳେଣି ପାଇଁ ତଳେ ପଡ଼ିଥିବା ଶୁଖିଲା ପତ୍ରକୁ ଝାଡୁରେ ସାଉଁଟି ଜାଲିରେ ଭର୍ତ୍ତିକରି ଘରକୁ ବୋହିନିଅନ୍ତି। ଅନେକ ଅଞ୍ଚଳରେ ଗ୍ରାମ କମିଟି ଗଠନ କରି ଏହି ଶୁଖିଲା ପତ୍ରକୁ ବିକ୍ରିକରି ରୋଜଗାର କରିଥାନ୍ତି। ଏହି ଅର୍ଥରେ ଜଙ୍ଗଲ ଦେଖାରଖା କରିଥାନ୍ତି। ଗଛକଟା ଉପରେ କଟକଣା ଲାଗୁହେବା ସହ ବନ ସୁରକ୍ଷା ସମିତିଗୁଡ଼ିକର ଜଙ୍ଗଲର ସୁରକ୍ଷା ପାଇଁ କଡ଼ା ଆଭିମୁଖ୍ୟ ରହିଛି। ଏଣୁ ଏଭଳି ସ୍ଥିତିରେ ଶୁଖିଲା ପତ୍ରକୁ ଜାଳେଣି ଭାବେ ବ୍ୟବହାର କରାଯାଉଛି। ଏପରିକି ଶୁଖିଲା ପତ୍ରକୁ ଜଙ୍ଗଲରୁ ସଂଗ୍ରହକରି ବର୍ଷକ ପାଇଁ ସାଇତି ରଖିଥାନ୍ତି। ଏହା ଫଳରେ ଜଙ୍ଗଲରେ ନିଆଁ ଲାଗିବା କମିବା ସହ କମ୍‌ ଖର୍ଚ୍ଚରେ ଜାଳେଣି ମିଳିପାରୁଛି ବୋଲି କେରୀ ଗ୍ରାମର ବେଣୁଧର ମହାନ୍ତ କହିଛନ୍ତି। ପରିବେଶବିତ୍‌ ରମେଶ ଚନ୍ଦ୍ର ମିଶ୍ର କହିଛନ୍ତି, ଏହାଦ୍ୱାରା ଜାଳେଣି ସମସ୍ୟା ଦୂରହେବା ସହ ଜଙ୍ଗଲ ଓ ପରିବେଶର ସୁରକ୍ଷା କରାଯାଇ ପାରୁଥିବାରୁ ଏଥିପାଇଁ ଅଧିକ ଜନସଚେତନତାର ଆବଶ୍ୟକତା ରହିଛି। ପରିବେଶବିତ୍‌ ହରେକୃଷ୍ଣ ମହାନ୍ତ କହିଛନ୍ତି, ଏହି ପତ୍ର ବିକି ଅନେକେ ଚଳୁଛନ୍ତି। ଏହାକୁ ଠିକ୍‌ ଭାବରେ ସାଇତି ନ ରଖିଲେ ନିଆଁ ଲାଗିବାର ସମ୍ଭାବନା ରହୁଛି ା ଫଳରେ ବ୍ୟାପକ କ୍ଷତି ଘଟାଇବ। ଏଣୁ ଏ ଦିଗରେ ସଚେତନତା ସୃଷ୍ଟିହେବା ଆବଶ୍ୟକ। ଏଥିସହ ଏମାନେ ଜଙ୍ଗଲ ସୁରକ୍ଷାରେ ସହାୟକ ହେଉଥିବାରୁ ସେମାନଙ୍କୁ ପ୍ରୋତ୍ସାହିତ କରାଯିବା ଉଚିତ ବୋଲି ସେ କହିଛନ୍ତି।

Share