Advertisement

ବିପଦ ଅବସ୍ଥାରେ ଦୋହଲୁଛି ଶୁଖିଲା ଗଛ

ବୁଗୁଡା,୩ା୨(ଡି.ଏନ୍‌.ଏ.): ବୁଗୁଡ଼ା-କରସିଙ୍ଗି ମୁଖ୍ୟ ସଡ଼କ ଅନ୍ତର୍ଗତ ଜେଏକ ଓ ପଥରବଣି ମଝି ରାସ୍ତା କଡ଼ରେ ଏକ ବିରାଟ ଶୁଖିଲା ଥୁଣ୍ଟା ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ଏହି ରାସ୍ତା ଦେଇ ଶତାଧିକ ଯାନବାହାନ ଚଳାଚଳ ସାଙ୍ଗକୁ ସ୍କୁଲ ଓ କଲେଜ ଛାତ୍ରୀଛାତ୍ରମାନେ ଯାତାୟାତ କରୁଛନ୍ତି। ଶୁଖିଲା ଗଛଟି ପବନରେ ଦୋହଲୁଥିବା ବେଳେ କୌଣସି ପରିସ୍ଥିତିରେ ଭାଙ୍ଗିବାର ଯଥେଷ୍ଟ ସମ୍ଭାବନା ରହିଛି। ଫଳରେ ରାସ୍ତାରେ ଯିବା ଆସିବା କରୁଥିବା ଯାନବାହନ, ଛାତ୍ରୀଛାତ୍ର ଓ ଜନସାଧାରଣ ବିପଦର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି।

ଏ ନେଇ ଗ୍ରାମବାସୀମାନେ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ପ୍ରକାଶଥାଉ କି, ଗତ ସପ୍ତାହରେ ଶରଣକୁଳ ଅଞ୍ଚଳର ଏକ ଦମ୍ପତ୍ତି ବାଇକ୍‌ରେ ଉକ୍ତ ରାସ୍ତାଦେଇ ଯାଉଥିବା ବେଳେ ଗଛରୁ ଶୁଖିଲା ଡାଳ ବାଇକ୍‌ ଉପରେ ପଡିଥିଲା। ଫଳରେ ଦୁହେଁ ଆହତ ହୋଇଥିଲେ। ତେଣୁ, ଭବିଷ୍ୟତରେ ସମ୍ଭାବ୍ୟ ବିପଦକୁ ଏଡ଼ାଇବା ସକାଶେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିକାରବ୍ୟବସ୍ଥା ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel