Categories: ଜାତୀୟ

ଡିୟୁ କୁଳପତି ନିଲମ୍ବିତ

ନୂଆଦିଲ୍ଲୀ,୨୯।୧୦: କର୍ତ୍ତବ୍ୟରେ ଅବହେଳା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ର କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ନିଲମ୍ବନ କରାଯାଇଛି। ନିକଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିରେ କୁଳପତି ନେଇଥିବା ନିଷ୍ପତ୍ତି ଓ ନିୟମାବଳୀର ଅନୁପାଳନକୁ ନେଇ ବିଶ୍ୱବିଦ୍ୟାଳୟର ଦୁଇ ଗୋଷ୍ଠୀ ମଧ୍ୟରେ କିଛିଦିନ ହେଲା କ୍ଷମତା କନ୍ଦଳ ଲାଗି ରହିଥିଲା। କୁଳପତି ସ୍ବାସ୍ଥ୍ୟଗତ କାରଣରୁ ଅନୁପସ୍ଥିତ ରହିଥିବାବେଳେ ଜାରି କରିଥିବା ନିର୍ଦ୍ଦେଶନାମାକୁ ରଦ୍ଦ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। କୁଳପତିଙ୍କୁ ନିଲମ୍ବନ କରିବା ପ୍ରସ୍ତାବକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଅନୁମୋଦନ କରିଥିଲେ। ସ୍ବାସ୍ଥ୍ୟଗତ କାରଣରୁ କୁଳପତି ତ୍ୟାଗୀ ଏମ୍ସରେ ଭର୍ତ୍ତି ହେବା ସହ ଜୁଲାଇ ୨ରୁ ଛୁଟିରେ ରହିଥିଲେ। ତ୍ୟାଗୀ କାର୍ଯ୍ୟରେ ଯୋଗଦେବା ପର୍ଯ୍ୟନ୍ତ ପ୍ରୋ ଭାଇସ୍‌ ଚାନ୍‌ସେଲର ପି.ସି. ଜୋଷୀଙ୍କୁ ସରକାର ଜୁଲାଇ ୧୭ରେ କୁଳପତି ଦାୟିତ୍ୱ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟ ପରିଚାଳନାରେ ଅନିୟମିତତାର ତଦନ୍ତ ପ୍ରସ୍ତାବକୁ ମଧ୍ୟ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ତଦନ୍ତ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏକ କମିଟି ଗଠନ କରିବ।

Share