ପୂର୍ବତନ ସ୍ତ୍ରୀଙ୍କୁ ୫,୫୦୦ କୋଟି ଦେବେ ଦୁବାଇ ଶାସକ

ଲଣ୍ଡନ, ୨୧ା୧୨: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ) ଶାସକ ଶେଖ୍‌ ମହମ୍ମଦ ବିନ୍‌ ରସିଦ୍‌-ଅଲ୍‌-ମୁକ୍ତମ୍‌ ଏବଂ ତାଙ୍କ ପୂର୍ବତନ ସ୍ତ୍ରୀ ହାୟା ବିଣ୍ଟ ଅଲ୍‌ ହୁସେନ୍‌(୪୭)ଙ୍କ ମଧ୍ୟରେ ଚାଲିଥିବା ଦୁଇ ଛୁଆଙ୍କ ହେପାଜତ ମାମଲାରେ ମଙ୍ଗଳବାର ରାୟ ଶୁଣାଇଛନ୍ତି ଲଣ୍ଡନ ହାଇକୋର୍ଟ। ଶେଖ୍‌ ମହମ୍ମଦଙ୍କୁ ଜୋର୍ଡାନ୍‌ର ପୂର୍ବତନ ରାଜା ହୁସେନ୍‌ଙ୍କ ଝିଅ ହାୟାଙ୍କୁ ସୁରକ୍ଷା ଏବଂ କ୍ଷତିପୂରଣ ବାବଦକୁ ୫୫୪ ମିଲିୟନ ପାଉଣ୍ଡ (ପ୍ରାୟ ୫,୫୦୦ କୋଟି ଟଙ୍କା) ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାୟା ଏବଂ ତାଙ୍କ ଦୁଇ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ କରିବା ଲାଗି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟଙ୍କ ଏହି ନିର୍ଦ୍ଦେଶ ହାୟାଙ୍କ ପାଇଁ ବଡ଼ ବିଜୟ ବୋଲି କୁହାଯାଉଛି। ଶେଖ୍‌ଙ୍କ ୬ ସ୍ତ୍ରୀଙ୍କ ମଧ୍ୟରୁ ହାୟା ସବୁଠାରୁ ସାନ।

ଫିଲିପ୍‌ ମୋର୍‌ ଶୁଣାଣିବେଳେ କହିଥିଲେ, ହାୟା ଓ ତାଙ୍କ ଦୁଇ ପିଲାଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ଶେଖ୍‌ ମହମ୍ମଦଙ୍କୁ ଏହି ରାଶି ଦେବାକୁ ପଡ଼ିବ। ହାୟା ଏହି ଅର୍ଥ ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ନିମନ୍ତେ ନୁହେଁ ବରଂ ସୁରକ୍ଷା ଏବଂ ଏଥିସହ ବିବାହ ବିଚ୍ଛେଦ ଯୋଗୁ ହୋଇଥିବା କ୍ଷତିର ଭରଣା ପାଇଁ ସେ ଏହି ଦାବି କରିଛନ୍ତି। ବ୍ରିଟିଶ ବଙ୍ଗଳାର ଯତ୍ନ ବାବଦକୁ ୩ ମାସ ମଧ୍ୟରେ ଶେଖ ମହମ୍ମଦ ୨୫୧.୫ ମିଲିୟନ ପାଉଣ୍ଡ(୨୫,୨୩ କୋଟି ଟଙ୍କା) ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୁଇ ପିଲା ଜଲିଲା(୧୪) ଏବଂ ଜାଏଦ୍‌(୯)ଙ୍କ ଶିକ୍ଷା ପାଇଁ ଶେଖ୍‌ କିସ୍ତିରେ ୯.୬ ମିଲିୟନ ପାଉଣ୍ଡ (୯୬,୨୭,୫୬,୦୦୮ ଟଙ୍କା) ଦେବେ। ଏହା ବ୍ୟତୀତ ପିଲାମାନଙ୍କ ଯତ୍ନ ଓ ସୁରକ୍ଷା ପାଇଁ ପ୍ରତିବର୍ଷ ୧୧.୨ ମିଲିୟନ ପାଉଣ୍ଡ (୧,୧୨,୩୨,୪୫,୦୦୧ ଟଙ୍କା) ଦେବାକୁ କୁହାଯାଇଛି। ସେମାନେ ବଡ଼ ହେବା ପର୍ଯ୍ୟନ୍ତ ଶେଖ୍‌ ଏହି ଅର୍ଥ ଦେବେ। ଗ୍ୟାରେଣ୍ଟି ଭାବରେ ଏଚ୍‌ଏସ୍‌ବିସ ବ୍ୟାଙ୍କରେ ୨୯୦ ମିଲିୟନ ପାଉଣ୍ଡ ସିକ୍ୟୁରିଟି ରହିବ। ବ୍ରିଟେନରେ ଛାଡ଼ପତ୍ର ମାମଲାରେ ଏହି କ୍ଷତିପୂରଣ ରାଶି ସର୍ବାଧିକ ବୋଲି କୁହାଯାଉଛି। ତେବେ ହାୟା ଏ ବାବଦରେ ୧.୪ ବିଲିୟନ ପାଉଣ୍ଡ(୧,୪୦,୩୯,୯୫,୩୨,୫୬୦ ଟଙ୍କା) ଦାବି କରିଥିଲେ। ପିଲାମାନଙ୍କୁ ଶେଖ୍‌ ମହମ୍ମଦଙ୍କ ପ୍ରଭାବରୁ ମୁକ୍ତ ରଖିବାକୁ ସେ ଚାହାଁନ୍ତି ବୋଲି ହାୟା କୋର୍ଟରେ କହିଥିଲେ।

ଅଙ୍ଗରକ୍ଷୀଙ୍କ ସହ ପ୍ରେମରେ ପଡ଼ିବା ପରେ ହାୟା ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ୨୦୧୯ ଏପ୍ରିଲରେ ଦୁବାଇରୁ ବ୍ରିଟେନକୁ ପଳାଇ ଆସିଥିଲେ। ଏହାର ପ୍ରାୟ ମାସକ ପରେ ସେ ଛାଡ଼ପତ୍ର ମାଗିଥିଲେ।

Share