ନୂଆଦିଲ୍ଲୀ,୧୮।୧୦: ଜମ୍ମୁ-କଶ୍ମୀରରେ ଭିତ୍ତିଭୂମି ନିର୍ମାଣ ପାଇଁ ନୂଆଦିଲ୍ଲୀ ସହ ଚୁକ୍ତି କରିଛି ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ)। ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ବର୍ତ୍ତମାନ ହିଂସା ବୃଦ୍ଧି ପାଉଥିବା ବେଳେ ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ବଡ଼ ଘୋଷଣା କରାଯାଇଛି। ତେବେ ଏହି ଚୁକ୍ତିର ପରିମାଣ ଜଣାପଡ଼ିନାହିଁ।
ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ହରାଇବା ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଦେଶ ସରକାର ବିନିଯୋଗ କରିବାକୁ ଯାଉଛନ୍ତି। ଏହି ଚୁକ୍ତି ଅନୁଯାୟୀ, ଦୁବାଇ ଜମ୍ମୁ-କଶ୍ମୀରରେ ବିଭିନ୍ନ ସ୍ଥାନରେ ଇଣ୍ଡଷ୍ଟ୍ରିଆଲ ପାର୍କ, ଆଇଟି ଟାଓ୍ବାର, ଲଜିଷ୍ଟିକ୍ସ ସେଣ୍ଟର, ଗୋଟିଏ ମେଡିକାଲ ଓ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
‘ଜମ୍ମୁ-କଶ୍ମୀର ଚାଲିଥିବା ଉନ୍ନତିକୁ ବିଶ୍ୱ ମଧ୍ୟ ମାନ୍ୟତା ଦେଲାଣି’ ବୋଲି କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲ ଏକ ବିଜ୍ଞପ୍ତିରେ କହିଛନ୍ତି। ଏଥିରେ ଦୁବାଇର ବିଭିନ୍ନ କମ୍ପାନୀ କଶ୍ମୀରରେ ବିନିଯୋଗ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଉଲ୍ଲେଖ ରହିଛି।