Advertisement

ଇନୋଭାରେ ଆସି ଦୁଇ ମାଂସ ବ୍ୟବସାୟୀଙ୍କୁ ଉଠାଇ ନେଲେ ଦୁବୃର୍ତ୍ତ

ବାଲିଗୁଡ଼ା, ୫।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟସ୍ଥ ବନ୍ଧଛକ ବୁଡ଼ାଗୁଡା ରାସ୍ତା ନିକଟରୁ ମଙ୍ଗଳବାର ସଂଧ୍ୟା ୬ଟା ସମୟରେ ଦୁଇଟି ଗାଡ଼ିରେ କିଛି ଦୁର୍ବୃତ୍ତ ଆସି ହାଟପଦା ସାହିର ମାଂସ ବ୍ୟବସାୟୀ ହେମନ୍ତ ଗଣ୍ଡା ଓ ପଣ୍ଡିତ ମାଝୀଙ୍କୁ ଉଠାଇ ନେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବର ପାଇ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ ପୋଲିସ ଟିମ୍‌ ସହ ଦୁବୃର୍ତ୍ତଙ୍କ ପିଛା କରିଥିଲେ। ଅପହରଣବେଳେ ଗୋଟିଏ ଇନୋଭା ଓ ଗୋଟିଏ ବୋଲେରୋ ଗାଡ଼ି ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତଙ୍କୁ ପିଛା କରି ଗୋଟିଏ ବୋଲେରୋକୁ କାବୁ କରିଛି। ସେଥିରେ ବସିଥିବା ଦୁଇଜଣଙ୍କ ସମେତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଏହି ଦୁହିଁଙ୍କ ଘର ଗଞ୍ଜାମ ଜିଲା କୋଦଳା ଥାନା ଅଞ୍ଚଳର ବୋଲି ଜଣାପଡିଛି। କେଉଁ କାରଣରୁ ଅପହରଣ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ଥାନାରେ ବାଲିଗୁଡ଼ା ଏସଡିପିଓ ଏସ ପ୍ରତାପ ଶ୍ରୀମଲ ପହଞ୍ଚି ଦୁଇ ଦୁର୍ବୃତ୍ତ ଓ ଗାଡି ଡ୍ରାଇଭରଙ୍କୁ ପଚରା ଉଚରା ଜାରି ରଖିଛନ୍ତି। ଖବର ଲେଖା ହେବା ସୁଦ୍ଧା ଅପହୃତ ହୋଇଥିବା ଦୁଇ ମାଂସ ବ୍ୟବସାୟୀଙ୍କ ପରିବାର ପକ୍ଷରୁ ଥାନାର ଦ୍ୱାରସ୍ତ ହୋଇଥିଲେ ହେଁ ଏତଲା ରୁଜୁ ହୋଇନାହିଁ କି ଅପହରଣକାରୀ ନେଇଥିବା ଇନୋଭା ଗାଡି ସହ ଦୁଇ ଅପହୃତଙ୍କ ପତ୍ତା ମିଳିପାରିନାହିଁ l

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share