ବାର୍‌ହା ଶିକାର ପାଇଁ ବସିଥିଲା ଫାଶ, ବିଦ୍ୟୁତ୍‌ ଚାର୍ଜ ହେବାରୁ ଷଣ୍ଢ ମୃତ, ବାପ-ପୁଅ ଗୁରୁତର

ମହାକାଳପଡ଼ା,୨୮ା୭(ପ୍ରତାପ ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦୋଳି ଗାଁ-କଳତୁଙ୍ଗା ଯୋରୀ ପର୍ଯ୍ୟନ୍ତ ବାଇଣ୍ଡିଂ ତାର ବିଛା ଯାଉଥିବା ଦେଖିବାକୁ ମିଳୁଛି। ଗୁରୁବାର ରାତିରେ ବାପ-ପୁଅ ନିଜ ଚାଷଜମିରେ ଷଣ୍ଢ ତଳି କିଆରି ଖାଉଥିବା ନେଇ ଦେଖିବାକୁ ଯାଇଥିବା ବେଳେ ବାଇଡିଂ ତାର ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ଫଳରେ ବାପା ରଞ୍ଜିତ ମଣ୍ଡଳ(୪୫) ଏବଂ ପୁଅ ଗୌରାଙ୍ଗ(୧୭)ଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଏକ ଷଣ୍ଢର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, କେତେକ ଦୁର୍ବୃତ୍ତ ଜଙ୍ଗଲୀ ବାର୍‌ହା ଶିକାର କରିବା ପାଇଁ ବିଦ୍ୟୁତ୍‌ତାର ଫାଶ ବସାଇଥିଲେ। ଫଳରେ ଏପରି ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ ମଧ୍ୟରେ ବାଠୁ ମଣ୍ଡଳ, ଅଗା ମଣ୍ଡଳ, ଜୟରାମ ମଣ୍ଡଳ, ଶିବ ପ୍ରସାଦ ମଣ୍ଡଳ, ଲାଲୁ ମଣ୍ଡଳ, ଗୁରୁପଡ ମଣ୍ଡଳ, ବାପି ମଣ୍ଡଳ, ଚରଣ ଟୁଡୁ, ଶଙ୍କର ମାରାଣ୍ଡି ଓ ଗୁରୁଭା ହାଁସଦାଙ୍କ ସମେତ ଅନ୍ୟ କେତେକ ଲୋକ ଅଭିଯୋଗ କରିଛନ୍ତି। ଏହି ଅଞ୍ଚଳର କେତେକ ଜଙ୍ଗଲୀ ଜନ୍ତୁ ଶିକାରୀମାନେ ବିଦ୍ୟୁତତାର ସଂସ୍ପର୍ଶରେ ଆସି ବାର୍‌ହା ଓ ହରିଣ ଶିକାର କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।