ପାଣି ଅଭାବରୁ ତଳିଘେରା ଫାଟି ଆଁ

ନବରଙ୍ଗପୁର, ୧୨।୭ (ସଦାଶିବ ପ୍ରହରାଜ): ଶ୍ରାବଣରେ ବର୍ଷା ଉଭାନ। ନବରଙ୍ଗପୁର ଜିଲାରେ ଶ୍ରାବଣ ମାସରେ ଭୀଷଣ ଗୁଳୁଗୁଳି ହେଉଛି। ଜୁନ୍‌ ଓ ଜୁଲାଇରେ ଅତି କମ୍‌ ପରିମାଣର ବର୍ଷା ଯୋଗୁ ତଳି ଘେରା ଫାଟି ଆଁ କଲାଣି। ଜଳସେଚନ ବିହୀନ ନବରଙ୍ଗପୁର ଜିଲାରେ ଚାଷୀ ବର୍ଷା ଅଭାବରୁ ମୁଣ୍ଡରେ ହାତ ଦେଇ ବସିଛି।
ନବରଙ୍ଗପୁର ଜିଲାରେ ଚଳିତ ବର୍ଷ ୧ ଲକ୍ଷ ୪ ହଜାର ହେକ୍ଟରରେ ଧାନ ଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି। ଜିଲାରେ ଗତ ଜୁନ୍‌ ମାସରେ ହାରାହାରି ୧୨୪ ମି.ମି. ବର୍ଷା ହୋଇଥିଲା। ଜୁଲାଇ ମାସରେ ଆଦୌ ବର୍ଷା ନାହିଁ କହିଲେ ଚଳେ। ଜୁଲାଇ ମାସର ୧୦ ଦିନ ବିତିଲା। ଜୁଲାଇ ୫ ରୁ ୮ ତାରିଖ ମଧ୍ୟରେ ୪ ଦିନରେ ସ୍ବଳ୍ପ ବୃଷ୍ଟିପାତ ହେବା ସହ ଜିଲାରେ ହାରାହାରି ୪୪ ମି.ମି. ବର୍ଷା ହୋଇଛି। ଗତ ବର୍ଷ ଜୁନ୍‌ରେ କମ୍‌ ବର୍ଷା ହୋଇଥିଲେ ମଧ୍ୟ ଜୁଲାଇରେ ୧୦ ଦିନ ମଧ୍ୟରେ ନିୟମିତ ଭାବେ ହାରାହାରି ୧୬୦ ମି.ମି. ବର୍ଷା ହୋଇଥିଲା। ଫଳରେ ଧାନରୁଆ କାମ ହୋଇପାରିଥିଲା। ଏବେ ବର୍ଷା ତ ଦୂରର କଥା। ଧାରା ଶ୍ରାବଣରେ ଟାଇଁଟାଇଁ ଖରା ହେଉଛି। ତଳି କିଆରିରେ ପାଣି ଅଭାବରୁ ତଳିଘେରା ଫାଟି ଆଁ କଲାଣି। ଯଦି ୩ରୁ ୪ ଦିନ ମଧ୍ୟରେ ବର୍ଷା ନ ହୁଏ ତେବେ ତଳି ପୋଡ଼ିଯିବା ଆଶଙ୍କା ରହିଛି। ଜିଲାରେ କେବଳ ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ଜମିରେ ହିଁ ଧାନଚାଷ ହୋଇଛି। ଉଠାଜଳସେଚନ ପ୍ରକଳ୍ପ ଓ ବଡ଼ ବଡ଼ ଜଳାଶୟ ପାଣିରେ ଜିଲାରେ ଧାନ ରୁଆ ମାତ୍ର ପ୍ରାୟ ୧୫% ସରିଛି। ଯଦି ଏହିଭଳି ପାଣିପାଗ ରହେ ତାହା ଧାନ ଉତ୍ପାଦନରେ ବିଶେଷ ପ୍ରଭାବ ପକାଇବ।
ନବରଙ୍ଗପୁର ଜିଲାରେ ଅଧିକାଂଶ ଜମି ଢିପ ଅଞ୍ଚଳରେ ରହିଛି। ଜିଲାରେ ଧାନଚାଷ ହେଉଥିବା ମୋଟ ପ୍ରାୟ ୧ଲକ୍ଷ ୪ହଜାର ହେକ୍ଟର ଜମି ମଧ୍ୟରୁ ଡିପ ଜମି ୩୮୮୭୩ ହେକ୍ଟର। ମଧ୍ୟମ ଧରଣର ଜମି ୩୮୩୪୨ ଓ ଖାଲୁଆ ଜମି ୨୯ ହଜାର ୧ଶହ ହେକ୍ଟର। ମୋଟ ଜମିର ପ୍ରାୟ ୭୦ ପ୍ରତିଶତ ଜମି ଢିପ ଓ ମଧ୍ୟମ ଧରଣର। ଜଳସେଚନର ସୁବିଧା ନ ଥିବାରୁ ଅଧିକାଂଶ ଜମି ବର୍ଷାପାଣି ଉପରେ ନିର୍ଭର। ଜଳସେଚନ କହିଲେ କେବଳ ଉଠାଜଳସେଚନ ପ୍ରକଳ୍ପ ହିଁ ସାହାଭରସା। ଜୁନ୍‌ ଓ ଜୁଲାଇରେ ସ୍ବାଭାବିକ ବର୍ଷା ହେଲେ ଚାଷୀ ସେହି ବର୍ଷାପାଣିରେ ଧାନ ରୁଆ କାମ ସାରିଥାଏ। ଜିଲାରେ ଜୁଲାଇ ଓ ଅଗଷ୍ଟରେ ଅଧିକ ବର୍ଷା ହୋଇଥାଏ। ଏହା ପୂର୍ବରୁ ଧାନଚାଷ ହେଲେ ଭଲ ଅମଳ ହୋଇଥାଏ। ନଭେମ୍ବର ସୁଦ୍ଧା ଧାନ ଅମଳ ହୋଇଥାଏ। ସାଧାରଣତଃ ଜିଲାରେ ଚାଷୀ ଜୁନ୍‌ ଶେଷ ସପ୍ତାହ ରଥଯାତ୍ରାରେ ଧାନରୁଆ କାମ ଆରମ୍ଭକରି ଜୁଲାଇ ୩ୟ ସପ୍ତାହ ସୁଦ୍ଧା ଧାନ ବେଉଷଣା କାମ ସାରୁଥିଲା। ଧାନ ଗଛକୁ ଅତି କମ୍‌ରେ ୨ ଇଞ୍ଚ ପାଣି ଆବଶ୍ୟକ ପଡିଥାଏ। କମ୍‌ ପାଣି କେବଳ ଆର୍ଦ୍ରତା ଥିବା ଜମିରେ ସାର ପ୍ରୟୋଗ କଲେ ମାଟି ଟାଣ ହେବା ସହ ଧାନ ଚାଷର କ୍ଷତି ହେବ। ତେବେ ନବରଙ୍ଗପୁର ଏକ କୃଷି ପ୍ରଧାନ ଜିଲା । ମୁଖ୍ୟତଃ ଧାନ, ଆଖୁ ଓ ମକା ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ରହିଛି। ଜିଲାରେ ୬୦ ହଜାର ହେକ୍ଟର ମକା ଓ ୫ ହଜାର ହେକ୍ଟରରେ ଆଖୁଚାଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ରହିଛି। ଚଳିତ ବର୍ଷର ସ୍ବଳ୍ପ ବୃଷ୍ଟିପାତ ଆଖୁଚାଷ ପାଇଁ ସୁହାଉଥିବାବେଳେ ମକା ଓ ଧାନଚାଷୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Share