ପାଣି ଅଭାବରୁ ଚାଷ ଜମି ଫାଟି ଆଁ

ଭବାନୀପାଟଣା,୧।୯(ଉତ୍ତମ କୁମାର ଦାଶ): ପାଣି ଅଭାବରୁ ଚାଷ ଜମି ଫାଟି ଆଁ କରିଛି। ଯେଉଁ ଜମିରେ ପ୍ରତିବର୍ଷ ଭଲ ଫସଲ ହେଉଥିଲା, ସେଠାରେ ଏବର୍ଷ ଗଜା ମରୁଡିର ଆଶଙ୍କା ଦେଖାଦେଇଛି। ବିଲରେ ତଳି ଶୁଖି ନଷ୍ଟ ହେବାକୁ ବସିଥିବା ବେଳେ ବଞ୍ଚାଇ ରଖିବା ପାଇଁ ଚାଷୀ ସଂଘର୍ଷ କରୁଛି। ସେପଟେ ଇନ୍ଦ୍ରାବତୀ ଜଳଯୋଗାଣ ପ୍ରକଳ୍ପର ପାଦତଳେ ଥାଇ ମଧ୍ୟ ପାଣି ପାଇପାରୁ ନ ଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ଚାଷୀ। ନିଅଣ୍ଟିଆ ବର୍ଷା ଯୋଗୁ କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ମରୁଡି ପରିସ୍ଥିତି ଦେଖାଦେଇଛି। ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ ପ୍ରକଳ୍ପ ନିକଟରେ ଥାଇ ମଧ୍ୟ ଜୟପାଟଣା ବ୍ଲକ ଧନସୁଲି ପଞ୍ଚାୟତର ଚାନ୍ଦପୁର ଗାଁରେ ଏଯାଏ ପହଞ୍ଚି ପାରିନାହିଁ ଜଳସେଚନ। ଫଳରେ ଏଠାକାର ଚାଷୀ ବର୍ଷାର ଭରସାରେ ଚାଷ କାର୍ଯ୍ୟ କରୁଛନ୍ତି। ଦୀପ ତଳ ଅନ୍ଧାର ଭଳି ପାଖରେ ଚାରୋଟି ଜଳସେଚନ ପ୍ରକଳ୍ପ ରହିଥିଲେ ସୁଦ୍ଧା ଏହି ଗାଁ ବାଦ ପଡିଛି। ସରକାରୀ ସ୍ତରରେ ଏହି ଅଞ୍ଚଳରେ ଜଳସେଚନ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି ା କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ଏହି ଗାଁରେ ଏବେ ବି ଜଳଯୋଗାଣ ହୋଇପାରୁ ନାହିଁ। ଏହି ଗାଁର ୮୦ରୁ ଊଦ୍ଧର୍‌ବ ଚାଷୀ, ୫୨୧.୭୯ ଏକର ଚାଷଜମିରେ ବର୍ଷାକୁ ଆଶ୍ରା କରି ଚାଷ କରନ୍ତି । ଚଳିତବର୍ଷ ଚାଷପୋଯୋଗୀ ବର୍ଷା ଅଭାବରୁ ଏବେ ବି ଚାଷୀ ଧାନ ରୋଇ ପାରିନାହାନ୍ତି। ଅନେକ ଚାଷ ଜମିରେ ଧାନ ଗଛ ଶୁଖି ନଷ୍ଟ ହେବାକୁ ବସିଲାଣି। ଆଗକୁ କିଭଳି ପରିବାର ପ୍ରତିପୋଷଣ କରିବା ସହ ଋଣ ଟଙ୍କା ଶୁଝିବେ ତାକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି । ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପ ଜିଲାର ଜୀବନରେଖା ପାଲଟିଥିବା ବେଳେ ଏହି ପ୍ରକଳ୍ପ ଦ୍ୱାରା ଲାଞ୍ଜିଗଡ଼, ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା ନିର୍ବାଚନମଣ୍ଡଳୀର ୧ ଲକ୍ଷ ୧୨ ହଜାର ୮୬୬.୦୪ ହେକ୍ଟର ଚାଷଜମି ଜଳ ସେଚିତ ହେବା ସହ ୯୯ ହଜାର ୧୭୨ ଚାଷୀ ପରିବାର ଉପକୃତ ହେଉଛନ୍ତି। ଅନ୍ୟପକ୍ଷରେ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଚାନ୍ଦପୁର ଉଠାଜଳସେଚନ ପ୍ରକଳ୍ପ ୨୩ା୦୯ା୨୦୧୮ ଠାରୁ କାର୍ଯ୍ୟକାରୀ ହୋଇଥିବା ବେଳେ ୩୦ ଗୋଟି ଆଉଟଲେଟ ମାଧ୍ୟମରେ ହୀରାପୁର, ସାନକରଲାକୋଟ, ଧନସୁଲି, କେନ୍ଦୁଗୁଡା ଓ ସାସ୍ତୁଗୁଡା ଗ୍ରାମର ୫୪୪ ହେକ୍ଟର ଚାଷଜମିରେ ଜଳସେଚନ ହେଉଛି। କିନ୍ତୁ ସେହି ଅଞ୍ଚଳରେ ଥିବା ଚାନ୍ଦପୁର ଗାଁକୁ କୌଣସି ପ୍ରକଳ୍ପରୁ ଜଳ ସେଚନ ହେଉନାହିଁ।

Share