ବାରିପଦା,୨୯ା୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଦୌରା ଜଜ୍ଙ୍କ କୋର୍ଟରେ ଗୁରୁବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ଅରବିନ୍ଦ ପଟ୍ଟନାୟକ ଏହାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ୫ହଜାର ଟଙ୍କା ଜରିମାନା ଓ ଅନାଦାୟ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଖୁଣ୍ଟା ଥାନା ଅଧୀନ ବଙ୍ଗାଡିହି ଗ୍ରାମର କରୁଣା ହାଁସଦା(୫୦)।
ମାମଲାର ବିବରଣୀ ଅନୁଯାୟୀ, ୨୦୨୧ ଜାନୁଆରୀ ୨୪ ଅପରାହ୍ନ ୩ଟା ସମୟରେ ଗୋପାଲ ହଁାସଦା ଘରେ ଏକୁଟିଆ ଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ ନେଇ କରୁଣା ଏକ ଠେଙ୍ଗାରେ ତାଙ୍କୁ ଅତର୍କିତ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ଚିକିତ୍ସା ପାଇଁ ତାଙ୍କୁ ବାରିପଦାସ୍ଥିତ ପିଆର୍ଏମ୍ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଗୋପାଲଙ୍କ ସ୍ତ୍ରୀ ମାୟାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା (ନଂ.୨୬/୨୧) ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ସରକାରୀ ଆଇନଜୀବୀ ସସ୍ମିତା ମହାପାତ୍ର ମାମଲା ପରିଚାଳନା କରୁଥିଲେ।