ବିମାନର ଓଜନ ବଢ଼ିବାରୁ ୧୯ ଯାତ୍ରୀଙ୍କୁ ଓହ୍ଲାଇବାକୁ ଅନୁରୋଧ କଲେ ପାଇଲଟ…

ଲଣ୍ଡନ,୯।୭ : ବ୍ରିଟିଶ (ୟୁକେ) ଏୟାରଲାଇନ୍ସ ଇଜିଜେଟ ସ୍ପେନର ଲାନଜାରୋଟ ରୁ ଲିଭରପୁଲ ଅଭିମୁଖେ ଯାତ୍ରା କରୁଥିବା ୨୦ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇବାକୁ କହିଥିଲେ। କାରଣ ବିମାନଟି ଅତ୍ୟଧିକ ଭାରୀ ହୋଇଯାଇଥିଲା ଫଳରେ ଉଡିବା ପାଇଁ ଅସୁବିଧା ହେବାର ଆଶଙ୍କା ଥିଲା। ଏହି ଘଟଣା ୫ ଜୁଲାଇରେ ଘଟିଥିଲା। ଖରାପ ପାଗ ଏବଂ ବିମାନର ଅଧିକ ଓଜନ ହେତୁ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ବିମାନ ପାଇଲଟ ଯାତ୍ରୀମାନଙ୍କୁ ସ୍ବେଚ୍ଛାକୃତ ଭାବେ ସ୍‌‘ଅପ୍ଟ ଆଉଟ’ କରିବାକୁ କହିଥିଲେ। ବ୍ରିଟିଶ ଅନଲାଇନ ଖବରକାଗଜ ଇଣ୍ଠିପେଣ୍ଡେନ୍ସର ଏକ ରିପୋର୍ଟ ଅନୁଯାୟୀ ଜଣେ ଯାତ୍ରୀ ଏହି ଘଟଣାର ଏକ ଭିଡିଓ ରେକର୍ଡ କରିଛନ୍ତି। ପରେ ୧୯ ଜଣ ବ୍ୟକ୍ତି ବିମାନ ଛାଡିବାକୁ ସ୍ଥିର କଲେ ଏବଂ ପରେ ବିମାନଟି ଉଡ଼ିଥିଲା।

ବିମାନର ପାଇଲଟ ଯାତ୍ରୀମାନଙ୍କୁ କହିଥିଲେ ଲାନଜାରୋଟେରେ ବହୁତ କମ ରନୱେ ଏବଂ ବିପରୀତ ଦିଗରୁ ପ୍ରବଳ ପବନ ଯୋଗୁ ଭାରୀ ବିମାନ ଏହି ସମୟରେ ଉଡ଼ାଣ କରିପାରିବ ନାହିଁ। ପାଇଲଟଙ୍କ କହିବାନୁସାରେ, ବାୟୁ ଅବସ୍ଥା ଏବଂ ନିରାପତ୍ତା ସମ୍ବନ୍ଧରେ ତାଙ୍କ କମ୍ପାନୀର ପ୍ରାଥମିକତାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କୁ ଓହ୍ଲାଇବା ବ୍ୟତୀତ ବିମାନଟି ଉଡ଼ିବାର ଅନ୍ୟ କୌଣସି ଉପାୟ ନ ଥିଲା । ପାଇଲଟ ୨୦ ଜଣ ଯାତ୍ରୀଙ୍କୁ ବିମାନ ଛାଡି ଲିଭରପୁଲ ନ ଯିବାକୁ କହିଥିଲେ। ପାଇଲଟ ଏହା ମଧ୍ୟ କହିଥିଲେ ବିମାନରୁ ଓହ୍ଲାଇଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଇଜିଜେଟ ୫୦୦ ୟୁରୋ ଦେବ।

ଇଜିଜେଟ ମୁଖପାତ୍ର ନିଶ୍ଚିତ କରିଛନ୍ତି ୧୯ ଜଣ ଯାତ୍ରୀ ସ୍ବେଚ୍ଛାକୃତ ଭାବରେ ଯିବାକୁ ରାଜି ହୋଇଥିଲେ। ସୁରକ୍ଷା କାରଣରୁ ସମସ୍ତ ବିମାନ ସେବା ପାଇଁ ଓଜନ ପ୍ରତିବନ୍ଧକ ଲାଗୁ ହୋଇଥାଏ। ଏପରି ପରିସ୍ଥିତିରେ ଅନେକ ସମୟରେ ଏପରି ନିଷ୍ପତ୍ତି ନିଆଯାଏ। ମୁଖପାତ୍ର କହିଛନ୍ତି ଯଦି ବିମାନର ଓଜନ ସୀମା ଅତିକ୍ରମ କରେ, ତେବେ ଆମେ ଯାତ୍ରୀମାନଙ୍କୁ ସ୍ବେଚ୍ଛାକୃତ ଭାବରେ ଦେୟ ବିନା ପରବର୍ତ୍ତୀ ବିମାନକୁ ଯିବାକୁ କହିଥାଉ, ଯାହା ଏହି ଅବସରରେ ମଧ୍ୟ ଘଟିଥିଲା। ଯେଉଁମାନେ ଏହା କରନ୍ତି ସେମାନଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ଦିଆଯାଏ। କାରଣ ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ହେଉଛି ବିମାନର ସବୁଠାରୁ ବଡ ପ୍ରାଥମିକତା ।

Share