Categories: ଖେଳ

ଏହି କାରଣ ଯୋଗୁ ଶତକ ପରେ ଶତକ ମାରିଚାଲିଛନ୍ତି ଶୁବମନ ଗିଲ

ରାୟପୁର,୨୫।୧: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜର ଶେଷ ମ୍ୟାଚରେ ଶୁବମନ ଗିଲ ୧୧୨ ରନର ଚମତ୍କାର ଇନିଂସ ଖେଳିଥିଲେ। ସେ ଅଧିନାୟକ ରୋହିତ ଶର୍ମାଙ୍କ ସହ ୨୧୨ ରନ ଓପନିଂ ଭାଗିଦାରୀ କରିଥିଲେ। ଗତ ଚାରିଟି ଦିନିକିଆରେ ଏହା ଗିଲଙ୍କ ତୃତୀୟ ଶତକ ଥିଲା। ଏହାପୂର୍ବରୁ ସେ ଶ୍ରୀଲଙ୍କା ବିପକ୍ଷରେ ଏକ ଶତକ ହାସଲ କରି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ୨୦୮ ରନ ସ୍କୋର କରିଥିଲେ।
ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ମ୍ୟାଚ ପରେ ଭାରତୀୟ କୋଚ ରାହୁଲ ଦ୍ରାବିଡ ଶୁଭମନଙ୍କ ସାକ୍ଷାତକାର ନେଇଥିଲେ। ଦ୍ରାବିଡ ଗିଲଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଜବରଦସ୍ତ ଫର୍ମର ମଜାଳିଆ କାରଣ ମଧ୍ୟ କହିଥିଲେ। ଦ୍ରାବିଡ କହିଛନ୍ତି, ପୂର୍ବରୁ ଶୁବମନ ଭଲ ବ୍ୟାଟିଂ କରୁଥିଲେ କିନ୍ତୁ ଅର୍ଦ୍ଧଶତକ ସ୍କୋର କରିବା ପରେ ଆଉଟ୍‌ ହୋଇଯାଉଥିଲେ। ତାଙ୍କ ପିତା ତାଙ୍କୁ ପଚାରିଥିଲେ ଯେ, ତୁ ଏମିତି ଶସ୍ତାରେ ଆଉଟ୍‌ ହେବୁ ନା କେବେ ଶତକ ହାସଲ କରିବୁ। ଗିଲ୍‌କୁ ଏହି ଗୋଟିଏ କଥା ବାଧିଥିଲା। ଗତ ଏକ ମାସ ମଧ୍ୟରେ ତୁମେ ଯାହା କରିଛ, ତୁମେ ପ୍ରକୃତରେ ରନ ବର୍ଷା କରିଛ। ତୁମ ବାପା ତୁମ ପାଇଁ ଗର୍ବିତ ହେବେ ବୋଲି ଦ୍ରାବିଡ କହିଛନ୍ତି।
ଗିଲ କହିଛନ୍ତି,ମୁଁ ଭାବୁନାହିଁ ଯେ ମୋ ବାପା ମୋର ଶତକରେ ବହୁତ ଖୁସି ହେବେ। ସେ ଚାହାଁନ୍ତି ଯେ ମୁଁ ଏକ ଶତକ ସ୍କୋର କରିବା ପରେ ଭଲ ବ୍ୟାଟିଂ କରେ ଏବଂ ଦିନିକିଆରେ ମୋର ଦ୍ୱିତୀୟ ଦ୍ୱିଶତକ ହାସଲ କରିବାକୁ ଚେଷ୍ଟା କରେ।
ଗିଲ କୋଚ ଦ୍ରାବିଡଙ୍କୁ ପଚାରିଥିଲେ ଯେ, ତୁମେ ମୋତେ ଗତ ୫-୬ ବର୍ଷ ମଧ୍ୟରେ ଦେଖିଛ, ମୋ ଭିତରେ କ’ଣ ପରିବର୍ତ୍ତନ ହୋଇଛି? ଏହା ଉପରେ ଦ୍ରାବିଡ କହିଛନ୍ତି ଯେ, ରନ ସ୍କୋର କରିବାକୁ ତୁମର ସର୍ବଦା କ୍ଷୁଧା ଥିଲା, କିନ୍ତୁ ଗତ ୭-୮ ମାସ ମଧ୍ୟରେ, ତୁମର ଫିଲ୍ଡିଂ ସହିତ ସବୁଠାରୁ ବଡ ପରିବର୍ତ୍ତନ ଆସିଛି। ଏହା ତୁମର ସବୁଠାରୁ ବଡ ପରିବର୍ତ୍ତନ।

Share