Categories: ଖେଳ

ଏହି କାରଣକୁ ନେଇ ଗମ୍ଭୀର-ଜୟ ଶାହାଙ୍କ ମଧ୍ୟରେ ଫାଟ!

ନୂଆଦିଲ୍ଲୀ,୧୮।୭: ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକ କିଏ ହେବେ? ଏହି ପ୍ରଶ୍ନ ଉପରେ ସମଗ୍ର ବିଶ୍ୱର ଆଖି ରହିଛି। କିନ୍ତୁ ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକଙ୍କୁ ନେଇ ବିବାଦ ଲାଗି ରହିଛି। ବିସିସିଆଇ ସଚିବ ଜୟ ଶାହା ଏବଂ ନୂତନ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ମତଭେଦ ଥିବା ଜଣାପଡିଛି।
ଅନେକ ରିପୋର୍ଟ ପୂର୍ବରୁ ଦାବି କରାଯାଇଥିଲା, ୨୦୨୪ ଟି-୨୦ ବିଶ୍ୱକପ ବିଜେତା ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନ ନେବେ। କିନ୍ତୁ ହଠାତ୍‌ ହାର୍ଦ୍ଦିକ ଅଧିନାୟକତ୍ୱ ହେବେ ନାହିଁ ବୋଲି ଚର୍ଚ୍ଚା ହେଲା। ନୂତନ ଅଧିନାୟକ ହେବା ପାଇଁ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ବଡ ପ୍ରତିଦ୍ୱନ୍ଦ୍ୱୀ।
ବିସିସିଆଇ ସଚିବ ଜୟ ଶାହା ଚାହୁଁଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳର ଦାୟିତ୍ୱ ଗ୍ରହଣ କରନ୍ତୁ। ତେବେ ଗୌତମ ଗମ୍ଭୀର ଏଥିପାଇଁ ପ୍ରସ୍ତୁତ ନୁହଁନ୍ତି। ଗମ୍ଭୀର ଚାହୁଁଛନ୍ତି ଯେ ଟି-୨୦ ଦଳର ଦାୟିତ୍ୱ ସୂର୍ଯ୍ୟକୁମାର ଯାଦବଙ୍କୁ ହସ୍ତାନ୍ତର କରାଯାଉ। ଏ ସମ୍ପର୍କରେ ଉଭୟଙ୍କ ମଧ୍ୟରେ ମତଭେଦ ହେବାର ଖବର ଆସିଛି। ଅନ୍ୟ ଏକ ରିପୋର୍ଟରେ ଦର୍ଶାଯାଇଛି, ବାରମ୍ବାର ଆଘାତ, ବିରତି ନେବା ଏବଂ କାର୍ଯ୍ୟଭାର ପରିଚାଳନା ହେତୁ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ହେବାକୁ ଚାହାଁନ୍ତି ନାହିଁ।
ଆଜି ଶ୍ରୀଲଙ୍କା ଗସ୍ତ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯିବାର ସମ୍ଭାବନା ରହିଛି। ବିସିସିଆଇ ସଚିବ ଜୟ ଶାହାଙ୍କୁ ୧୯ ରୁ ୨୨ ଜୁଲାଇ ମଧ୍ୟରେ ଶ୍ରୀଲଙ୍କାରେ ହେବାକୁ ଥିବା ଆଇସିସି ବୈଠକରେ ଯୋଗଦେବାକୁ ପଡିବ। ତେଣୁ ଏହାପୂର୍ବରୁ ଶ୍ରୀଲଙ୍କା ଗସ୍ତ ପାଇଁ ଦଳ ଘୋଷଣା କରାଯିବ।