ଗାତ ଖୋଳି ଛାଡ଼ିଦେଲେ

କାମାକ୍ଷାନଗର,୨୪।୭: (ସୁଧୀର ପରିଡ଼ା): ଡ୍ରେନ୍‌ ପାଇଁ ଖୋଳାଯାଇଛି ଗାତ। ହେଲେ କାମ ହେଉନାହିଁ। ଗାତ ଖୋଳି ଅଧାପନ୍ତରିଆ ଭାବେ ଛାଡ଼ି ଦେଇଛନ୍ତି ଠିକାଦାର। ଫଳରେ ଗର୍ତ୍ତରେ କେତେବେଳେ ଗୋରୁ ତ ଆଉ କେବେ ମଣିଷ ପଡ଼ି ଖଣ୍ଡିଆଖାବରା ହେଉଛନ୍ତି। ପୂର୍ତ୍ତ ବିଭାଗର ଦୂରଦୃଷ୍ଟି ଅଭାବରୁ ଢେଙ୍କାନାଳ ଜିଲା କାମାକ୍ଷାନଗରରେ ଏଭଳି ଅବ୍ୟବସ୍ଥିତ ଢଙ୍ଗରେ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ବର୍ଷାଦିନେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ସୂଚନାଯୋଗ୍ୟ, କାମାକ୍ଷାନଗର ଏନ୍‌ଏସି ମହିମା ମନ୍ଦିର ନିକଟ ଦାଶୀପୋଖରୀଠାରୁ ମଢ଼ିହାଟ ଆଡକୁ ଯାଇଥିବା ରାସ୍ତା କଡ଼ରେ ଉକ୍ତ ଡ୍ରେନ୍‌ ନିର୍ମାଣ କରାଯାଉଛି। ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଅନୁଦାନରେ କାର୍ଯ୍ୟ ହେଉଥିବାବେଳେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଢେଙ୍କାନାଳ-କାମାକ୍ଷାନଗର ରାସ୍ତାରେ ନିର୍ମାଣାଧୀନ ଏହି ଡ୍ରେନ୍‌ କେବଳ ଗାତଖୋଳାରେ ସୀମିତ ରହିଛି। କାର୍ଯ୍ୟ ନେଇଥିବା ଠିକାଦାରଙ୍କୁ ବିଭାଗୀୟ ଅଧିକାରୀ ତାଗିଦ କରୁ ନ ଥିବାରୁ କାମ ଅତି ମନ୍ଥର ଗତିରେ ଚାଲିଛି। ଫଳରେ ଉକ୍ତ ବ୍ୟସ୍ତବହୁଳ ରାସ୍ତାଟି ବିପଦସଙ୍କୁଳ ହୋଇପଡ଼ିଛି। ଛୋଟ ଛୋଟ ପିଲା ସାମାନ୍ୟ ଅସାବଧାନ ହେଲେ ଗାତରେ ପଡ଼ି ଜୀବନ ଯିବାର ଆଶଙ୍କା ରହିଛି। ତଥାପି ବିଭାଗୀୟ ଅଧିକାରୀ ଏଥିପ୍ରତି ଆଖି ବୁଜିଦେଇଥିବା ସମ୍ପୃକ୍ତ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏ ନେଇ କାମାକ୍ଷାନଗର ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ମଲ୍ଲିକ କୁହନ୍ତି, ବର୍ଷା କାରଣରୁ କାମ ବିଳମ୍ବ ହୋଇଥିଲା। ଏବେ କରି ଦିଆଯିବ। ସୂଚନା ଫଳକ ମଧ୍ୟ ଲଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।