Categories: ଖେଳ

ଦୁଲୀପ ଟ୍ରଫି: ପରାଜୟ ଦ୍ୱାରରେ ପୂର୍ବାଞ୍ଚଳ

ଅଲୁର, ୧।୭: ଏଠାରେ ଚାଲିଥିବା କେନ୍ଦ୍ରାଞ୍ଚଳ ବିପକ୍ଷ ଦୁଲୀପ ଟ୍ରଫି କ୍ୱାର୍ଟର ଫାଇନାଲରେ ପୂର୍ବାଞ୍ଚଳ ପରାଜୟର ଦ୍ୱାରରେ ପହଞ୍ଚତ୍ ଯାଇଛି। ବିଜୟ ଲକ୍ଷ୍ୟ ୩୦୦ ରନ ଥିବାବେଳେ ପୂର୍ବାଞ୍ଚଳ ଶୁକ୍ରବାର ୩ୟ ଦିବସ ଖେଳ ଶେଷ ବେଳକୁ ୬୯ ରନ ମଧ୍ୟରେ ୬ ଉଇକେଟ ହରାଇ ସାରିଛି। ହାତରେ ମାତ୍ର ୪ ଉଇକେଟ ଥିବାବେଳେ ଦଳ ଲକ୍ଷ୍ୟଠାରୁ ଆହୁରି ୨୩୧ ରନ ପଛରେ ରହିଛି। କେନ୍ଦ୍ରାଞ୍ଚଳର ସୌରଭ କୁମାର ୩୩ ରନରେ ୪ ଉଇକେଟ ନେଇ ପୂର୍ବାଞ୍ଚଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ଶିବମ୍‌ ମାଭି ଓ ଆଭେଶ ଖାଁ ଅନ୍ୟ ୨ଟି ଉଇକେଟ ନେଇଛନ୍ତି। ପୂର୍ବାଞ୍ଚଳ ପକ୍ଷରୁ ଓଡ଼ିଶାର ଶାନ୍ତନୁ ମିଶ୍ର ୧୮, ଅଧିନାୟକ ଅଭିମନ୍ୟୁ ଈଶ୍ୱରନ ୧୧, ଅନୁସ୍ତୁପ ମଜୁମଦାର ୧୩, ଶାହାବାଜ ଅହମଦ ୧୮ ରନକରି ଏବଂ ସୁଦୀପ କୁମାର ଘରମି ଓ କୁମାର କୁଶାଗ୍ର ଡକ୍‌(୦)ରେ ଆଉଟ ହୋଇଛନ୍ତି। କେନ୍ଦ୍ରାଞ୍ଚଳ ଏହାର ଦ୍ୱିତୀୟ ଇନିଂସରେ ୨୩୯ ରନ କରିଥିଲା। ଦୁଇ ଓପନର ହିମାଂଶୁ ମନ୍ତ୍ରୀ (୬୮ ରନ) ଓ ବିବେକ ସିଂ (୫୬) ଦଳକୁ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ମିଡିଲ ଅର୍ଡର ଓ ଲୋୟର ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଦଳ ବଡ଼ ସ୍କୋର କରିପାରି ନ ଥିଲା। ତୃତୀୟ ସର୍ବାଧିକ ସ୍କୋରର ଭାବେ ସାରାଂଶ ଜୈନ ୩୨ ରନକରି ଅପରାଜିତ ରହିଥିଲେ। ପୂର୍ବାଞ୍ଚଳ ପକ୍ଷରୁ ଇଶାନ ପୋରେଲ ଓ ଶାହାବାଜ ଅହମଦ ୩ଟି ଲେଖାଏ ଏବଂ ରିୟାନ ପରାଗ ଓ ଶାହାବାଜ ନଦୀମ ୨ଟି ଲେଖାଏ ଉଇକେଟ ନେଇଥିଲେ।

Share