Categories: ଖେଳ

ପଶ୍ଚିମାଞ୍ଚଳକୁ ଦୁଲୀପ୍‌ ଟ୍ରଫି ଟାଇଟଲ

କୋଏମ୍ବାଟୁର,୨୬ା୯(ପି.ଟି.) : ଦକ୍ଷିଣାଞ୍ଚଳକୁ ୨୯୪ ରନ୍‌ରେ ହରାଇବା ସହିତ ଦୁଲୀପ୍‌ ଟ୍ରଫି ହାତେଇ ନେଇଛି ପଶ୍ଚିମାଞ୍ଚଳ। ରବିବାର ଅନ୍ତିମ ଦିନରେ ପଶ୍ଚିମାଞ୍ଚଳକୁ ବିଜୟ ପାଇଁ ୪ ଉଇକେଟ ଆବଶ୍ୟକ ଥିଲା। ସ୍ପିନର ସାମ୍ସ ମୁଲାନୀଙ୍କ ୪/୫୧ ବୋଲିଂ ବଳରେ ମ୍ୟାଚ୍‌କୁ ପ୍ରଥମ ଦୁଇ ସେସନ ମଧ୍ୟରେ ଜିତି ନେଇଥିଲା ପଶ୍ଚିମାଞ୍ଚଳ। ଦକ୍ଷିଣାଞ୍ଚଳ ସମ୍ମୁଖରେ ଅସମ୍ଭବ ୫୨୯ ରନ୍‌ର ବିଜୟ ଲକ୍ଷ୍ୟ ରହିଥିବା ବେଳେ ଦଳ ୭୧.୨ ଓଭରରେ ୨୩୪ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
ଚତୁର୍ଥ ଦିନର ଅସମାପ୍ତ ସ୍କୋର ୧୫୪/୬ରୁ ଖେଳ ଆରମ୍ଭ କରିଥିଲା ଦକ୍ଷିଣାଞ୍ଚଳ। ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣାଞ୍ଚଳର ଟପ୍‌ ଅର୍ଡର ବ୍ୟାଟର ଅତୀତ ସେଠ୍‌ ଜୟଦେବ ଉନାଡ଼କଟଙ୍କ ଶିକାର ହୋଇଥିଲେ। ତେବେ ଦୁଇ ଅପରାଜିତ ବ୍ୟାଟର ଟି. ରବି ତେଜା ଓ ଆର. ସାଇ କିଶୋର ପ୍ରାୟ ଦୁଇ ଘଣ୍ଟା ଧରି ପଶ୍ଚିମାଞ୍ଚଳ ବୋଲରଙ୍କ ମୁକାବିଲା କରିଥିଲେ। ରବି ତେଜା ୯୮ ବଲ ଖେଳି ୫୩ ରନ୍‌ କରିଥିବା ବେଳେ ସାଇ କିଶୋର ୭ ରନ୍‌ କରିଥିଲେ। ମାତ୍ର ସାଇ କିଶୋର ୮୨ ବଲ୍‌ ଖେଳି ପଶ୍ଚିମାଞ୍ଚଳ ବୋଲରଙ୍କ ଦୃଢ଼ ମୁକାବିଲା କରିଥିଲେ। ସାମ୍ସ ମୁଲାନୀ ଅନ୍ତିମ ଦିନରେ ୩ଟି ଉଇକେଟ ନେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରବି ତେଜା ଓ ସାଇ କିଶୋର ୫୭ ରନ୍‌ ଯୋଡ଼ିଥିଲେ। ପେସର ଚିନ୍ତନ ଗଜାଙ୍କ ବଲରେ ସାଇ କିଶୋର ପ୍ରିୟଙ୍କ ପାଞ୍ଚଲଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ। ପରବର୍ତ୍ତୀ ୩ ଉଇକେଟ ନେବା ସହିତ ସାମ୍ସ ମୁଲାନୀ ମ୍ୟାଚ୍‌ ସମାପ୍ତ କରିଥିଲେ। କ୍ରିଷ୍ଣାପ୍ପା ଗୋଥାମ୍‌ ୧୭ ରନ୍‌ କରିଥିବା ବେଳେ ଏହା କେବଳ ପରାଜୟ ବ୍ୟବଧାନ ହ୍ରାସ କରିଥିଲା। ଦ୍ୱିଶତକୀୟ ଇନିଂସ ପାଇଁ ଯଶସ୍ବୀ ଜୟସ୍ବାଲଙ୍କୁ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା। ଜୟଦେବ ଉନାଡକଟଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ୍‌ ଘୋଷଣା କରାଯାଇଛି। ଏହାକୁ ମିଶାଇ ୧୯ ଥର ପାଇଁ ଦୁଲୀପ୍‌ ଟ୍ରଫି ଟାଇଟଲ ହାସଲ କରିଛି ପଶ୍ଚିମାଞ୍ଚଳ। ଉତ୍ତରାଞ୍ଚଳ ୧୮ ଥର ଟାଇଟଲ ବିଜୟୀ ହୋଇଥିବା ବେଳେ ଏହି ରେକର୍ଡ ସହିତ ପୂର୍ବରୁ ସମକକ୍ଷ ଥିଲା ପଶ୍ଚିମାଞ୍ଚଳ। ପ୍ରଥମ ଇନିଂସରେ ଦକ୍ଷିଣାଞ୍ଚଳ ୫୭ ରନ୍‌ରେ ଅଗ୍ରଣୀ ହାସଲ କରି ଦୃଢ଼ ସ୍ଥିତିରେ ଥିଲା। ତେବେ ଦ୍ୱିତୀୟ ଇନିଂସ୍‌ରେ ପଶ୍ଚିମାଞ୍ଚଳ ଓପ୍‌ନର ଯଶସ୍ବୀ ଜୟସ୍ବାଲ ୨୬୫ ଓ ସର୍ଫରାଜ ଖାନ୍‌ଙ୍କ ୧୨୭ ରନ୍‌ ବଳରେ ଦଳ ୫୨୮ ରନ୍‌ର ଅଗ୍ରଣୀ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର
ପଶ୍ଚିମାଞ୍ଚଳ ପ୍ରଥମ ଇନିଂସ: ୨୭୦/୧୦ (ହିତ୍‌ ପଟେଲ-୯୮, ଜୟଦେବ ଉନାଡକଟ-୪୭, ଆର. ସାଇ କିଶୋର-୫/୮୬, ବାସିଲ ଥାମ୍ପି-୨/୪୨)। ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସ:୩୨୭/୧୦ (ବାବା ଇନ୍ଦ୍ରଜିତ-୧୧୮, ମନୀଷ ପାଣ୍ଡେ-୪୮, ଜୟଦେବ ଉନାଡକଟ-୪/୫୨, ଅତୀତ ସେଠ-୩/୫୧)। ପଶ୍ଚିମାଞ୍ଚଳ ଦ୍ୱିତୀୟ ଇନିଂସ: ୫୮୫/୫ (ଯଶସ୍ବୀ ଜୟସ୍ବାଲ-୨୬୫, ସର୍ଫରାଜ ଖାନ୍‌-୧୨୭, ଆର. ସାଇ କିଶୋର-୨/୧୫୭, କ୍ରିଷ୍ଣାପ୍ପା ଗୋଥାମ-୨/୨୩୫)।
ଦକ୍ଷିଣାଞ୍ଚଳ ଦ୍ୱିତୀୟ ଇନିଂସ: ୨୩୪/୧୦ (ରୋହନ୍‌ କୁନ୍ନୁମଲ-୯୩, ଟି. ରବି ତେଜା-୫୩, ସାମ୍ସ ମୁଲାନୀ-୪/୫୧, ଜୟଦେବ ଉନାଡକଟ-୨/୨୮)।

Share