ଲୋକାର୍ପିତ ଅପେକ୍ଷାରେ ଡୁଲୁରୀ ପାଇନ୍‌ ବଣ: ସେଲ୍‌ଫି ପଏଣ୍ଟ ହେବ ମୁଖ୍ୟ ଆକର୍ଷଣ

ଦାରିଙ୍ଗବାଡି, ୨୪।୧୦ (ଅରୁଣ ସାହୁ)-ଆସିଲା ପର୍ଯ୍ୟଟନ ଋତୁ । ଧୀରେ ଧୀରେ ଜଳବାୟୁର ପରିବର୍ତ୍ତନ ହେବାରେ ଲାଗିଛି । ବାତ୍ୟା ପାଇଁ ପାଗ ମେଘୁଆ ରହିବା ସହ ଦିନ ଓ ରାତିରେ ଶୀତ ଅନୁଭୁତ ହେଉଛି। ସର୍ବନିମ୍ନ ତାପମାତ୍ରାରେ ହ୍ରାସ ପାଇଛି। ବାତ୍ୟା ପରେ ଶୀତ ବୃଦ୍ଧି ପାଇବା ଆଶଙ୍କା କରାଯାଇଛି। ଶୀତର ମଜା ନେବା ପାଇଁ ଏବେଠାରୁ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଆସିବା ଆରମ୍ଭ ହୋଇଥିବା ବେଳେ ନଭେମ୍ବର ଠାରୁ ପର୍ଯ୍ୟଟକଙ୍କ ଆସିବା ସଂଖ୍ୟା ବୃଦ୍ଧି ପାଇବ ବୋଲି କୁହାଯାଉଛି ଏହାକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି ବିଶେଷ କରି ଡୁଲୁରୀ ପାଇନ ବଣକୁ ରୂପାନ୍ତର କରାଯାଉଛି ଏହା ଖୁବଶୀଘ୍ର ଲୋକାର୍ପଣ କରାଯିବ ବୋଲି ବିଡ଼ିଓ ଗଦାଧର ପାତ୍ର କହିଛନ୍ତି।

ବିଡିଓ କହିଛନ୍ତି, ୮୫ ଲକ୍ଷ ଟଙ୍କା ବିନିମୟରେ ଡୁଲୁରୀ ପାଇନବଣରେ ମୁଖ୍ୟ ଫାଟକ, ତାର ବାଡ଼, ଟିକେଟ କାଉଣ୍ଟର,ଆଉଟଲେଟ, ଗୋଷ୍ଠୀ ଶୌଚାଳୟ, ବିଶ୍ରାମ କକ୍ଷ, ସେଲ୍ଫି ପଏଣ୍ଟ, ଶିଶୁ ଉଦ୍ୟାନ, ସିମେଣ୍ଟ ବ୍ୟାଞ୍ଚ ପକାଯିବା ସହ ବଣ ଭୋଜି ପାଇଁ ପିଣ୍ଡି ଭଳି ଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା କାର୍ଯ୍ୟ କରାଯାଇଛି, ଯାହାକି କାର୍ଯ୍ୟ ସରିବାର ଶେଷ ପର୍ଯ୍ୟାୟ ହୋଇସାରିଛି। ଖୁବଶୀଘ୍ର ଏହା ଲୋକାର୍ପିତ କରାଯିବ ବୋଲି ବିଡ଼ିଓ ପାତ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡିକୁ ଆସୁଥିବା ପର୍ଯ୍ୟଟକମାନେ କଫି ବଗିଚା ପରେ ଡୁଲୁରୀ ପାଇନ ବଣରେ ବୁଲିବା, ବଣ ଭୋଜି କରିବା ଓ ଅଧିକା ସମୟ କାଟିବାକୁ ପସନ୍ଦ କରିଥାନ୍ତି ତେଣୁ ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏହା ବଡ଼ ପଦକ୍ଷେପ ନିଆଯାଇଥିବା ବିଡ଼ିଓ ପାତ୍ର କହିଛନ୍ତି।

Share