ରାୟପୁର, ୧୬।୭- ଚାଷୀଙ୍କଠାରୁ ୨ ଟଙ୍କାରେ ଗୋବର କିଲୋ କିଣିବାକୁ ଛତିଶଗଡ଼ ଭୂପେଷ ବାଘେଲା ସରକାର ନିଷ୍ପତ୍ତି ନେଇଛନ୍ତି। ‘ଗୋଦାନ ନ୍ୟାୟ ଯୋଜନା’ରେ ଚାଷୀଙ୍କଠାରୁ ସିଧାସଳଖ କିଲୋ ପ୍ରତି ୨ ଟଙ୍କା ମୂଲ୍ୟରେ ଗୋବର କିଣାଯିବାକୁ ଛତିଶଗଡ଼ କ୍ୟାବିନେଟ୍ ଅନୁମୋଦନ କରିଛି। ରାଜ୍ୟ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭୂପେଷ ବାଘେଲାଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନା ରାଜ୍ୟରେ ହରେଲି ମହୋତ୍ସବରୁ ଆରମ୍ଭ ହେବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫ ହଜାର ୩୦୦ ଗୋଥାନକୁ ସ୍ବିକୃତୀ ମିଳିସାରିଛି। ଯେଉଁଥିରେ ଗ୍ରାମୀଣ କ୍ଷେତ୍ରରେ ୨,୪୦୮ ଓ ସହରାଞ୍ଚଳରେ ୩୭୭ ଗୋଥାନ ନିର୍ମାଣ କରାଯାଇଛି। ଗୋଥାନ ସମିତି ମାଧ୍ୟମରେ ରାଜ୍ୟରେ ସ୍ଥାପିତ ହୋଇଥିବା ଗୋଥାନରୁ ଗାଇ ଓ ମଇଁଷି ଗୋବର ସଂଗ୍ରହ କରାଯିବ। ଏଥିରୁ କମ୍ପୋଷ୍ଟ ଓ ଅନ୍ୟାନ ଉତ୍ପାଦ ଉତ୍ପାଦନ କରାଯିବ। ଏହି କମ୍ପୋଷ୍ଟକୁ
ସମବାୟ ସମିତି ମାଧ୍ୟମରେ କୃଷକମାନଙ୍କୁ କିଲୋ ପ୍ରତି ୮ ଟଙ୍କା ମୂଲ୍ୟରେ ବିକ୍ରି କରାଯିବ। ଗୋବର କିଲୋ ୨ ଟଙ୍କା କ୍ରୟ କରାଯିବା ନିଷ୍ପତ୍ତି ଦ୍ୱାରା ନୂତନ ରୋଜଗାର ସୃଷ୍ଟି ହେବ, ଗୋପାଳନ ଓ ଗୋସୁରକ୍ଷା ପାଇଁ ପ୍ରୋତ୍ସାହନ ଏବଂ ଖୋଲରେ ଚରାଇବା ଉପରେ ପ୍ରତିବନ୍ଧକ ଆସିପାରିବ ବୋଲି ଏହି ଅଧିକାରୀ କହିଛନ୍ତି।