ବିଷମ କଟକ,୫ା୫(ଡି.ଏନ୍.ଏ.): ନିୟମଗିରି ପାହାଡରେ ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି। ପାହାଡ଼ ଉପରେ ରାୟଗଡ଼ା ଜିଲା ଅଧୀନ ୩ଟି ବ୍ଲକ ଅନ୍ତର୍ଗତ ପ୍ରାୟ ୮ଟି ପଞ୍ଚାୟତର ୯୯ ଖଣ୍ଡ ଗାଁ ରହିଛି। ଏସବୁ ଗାଁରେ ୧୦ହଜାରରୁ ଉର୍ଦ୍ଧ ଲୋକେ ବସବାସ କରନ୍ତି। ଏମାନେ ମୁଖ୍ୟତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳିଥାନ୍ତି। ବଜାରରେ ଜଙ୍ଗଲଜାତ ଦ୍ରବ୍ୟର ଚାହିଦା ବଢ଼ୁଥିବାରୁ ଆଦିମ ଜନଜାତି ମଧ୍ୟ କେତେକାଂଶରେ ଉପକୃତ ହେଉଛନ୍ତି। ନିୟମଗିରି ପାହାଡ଼ରେ ରହୁଥିବା ଜନଜାତି ଡଙ୍ଗରିଆମାନେ ସିଆଳି ପତ୍ର ସଂଗ୍ରହ କରି ତାହାକୁ ବିକି କିଛି ଅର୍ଥ ପାଉଛନ୍ତି। ଅନ୍ୟପଟେ ସିଆଳି ପତ୍ରର ବହୁଳ ବ୍ୟବହାjର ପାଇଁ ଡଙ୍ଗରିଆ ଉନ୍ନୟନ ସଂସ୍ଥା ପ୍ରୋତ୍ସହିତ କରୁଛି।
ପ୍ରାୟତଃ ଡଙ୍ଗରିଆ ସମ୍ପ୍ରଦାୟର ମହିଳାମାନେ ସିଆଳି ପତ୍ର ତୋଳି ଥାଆନ୍ତି। ଦିନକ ଆଗରୁ ଏହି ପତ୍ର ତୋଳି ଗୋଟିଏ ବିଡାରେ ୪ଟି ପତ୍ର ହିସାବରେ ବାନ୍ଧିଥାନ୍ତି। ପରେ ସେମାନେ ତାହାକୁ ୨ରୁ ୩ ଦିନ ପର୍ଯନ୍ତ ପ୍ରତ୍ୟେକ ସାହି ଗଳି ବୁଲି ବିକ୍ରି କରନ୍ତି। ଘରୋଇ ମହିଳାମାନେ ଏହି ପତ୍ର କିଣି ଖଲି ଓ ଦନା ପ୍ରସ୍ତୁତ କରି ବଜାରରେ ବିକ୍ରି କରନ୍ତି। ଜଙ୍ଗଲରେ ସିଆଳି ପତ୍ର ୩ରୁ ୪ ମାସ ପର୍ଯ୍ୟନ୍ତ ମିଳିଥାଏ। ଡଙ୍ଗରିଆ ମହିଳାମାନେ ପତ୍ରକୁ କଞ୍ଚାରେ ଓ ଶୁଖିବା ପରେ ବି ବିଡାବାନ୍ଧି ବର୍ଷା ଦିନେ ବିକି ଗୁଜୁରାଣ ମେଣ୍ଟାଉଛନ୍ତି। କାଗଜ ଓ ପ୍ଲାଷ୍ଟିକର ବିକଳ୍ପ ଭାବେ ସିଆଳି ପତ୍ରର ଚାହିଦା ଆହୁରି ବଢାଇବା ପାଇଁ ପ୍ରତ୍ୟେକ ଗାଁରେ ମହିଳା ଗୋଷ୍ଠୀକୁ ଡିକେଡି ହେଉ କି ଓଟିଏଲ୍ପି ସଂସ୍ଥା ମାଧ୍ୟମରେ ଆଧୁନିକ ପ୍ରଣାଳୀରେ ବଜାରରେ କିଭଳି ଅଧିକରୁ ଅଧିକ ଚାହିଦା ରହିବ ଏହାକୁ ଆଖିରେ ରଖି ଉନ୍ନତମାନର ଖଲି ଓ ବିଭିନ୍ନ ଠୁଙ୍ଗା ପ୍ରସ୍ତୁତ କରାଯାଉଛି। ରାୟଗଡା, କୋରାପୁଟ, ନବରଙ୍ଗପୁର ଜିଲାରେ ଓରମାସ୍ ପକ୍ଷରୁ ପ୍ଲାଣ୍ଟ କରିବା ପାଇଁ ପ୍ରସ୍ତାବ ଆଗତ କରଯାଇଛି। ସିଆଳି ଗଛ ମହୁ ଚାଷ ପାଇଁ ଆବଶ୍ୟକ ହୋଇଥାଏ। ଏହାର ମଞ୍ଜି ମଧ୍ୟ ବଜାରରେ ବିକ୍ରି ହୁଏ। ସିଆଳି ଲତାରେ ପ୍ରସ୍ତୁତ କରାଯାଉଥିବା ଦଉଡିିରେ ଡଙ୍ଗରିଆମାନେ ଖଟ ତିଆରି କରନ୍ତି । ବନ ବିଭାଗ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର କହିଛନ୍ତି, ସିଆଳି ଗଛ ବହୁତ ଉପକାରୀ। ଏହା ଅନେକଙ୍କୁ ସ୍ବାବଲ୍ମବୀ କରିପାରୁଛି। ଡିକେଡି, ଓପିଲିପି ପ୍ରୋଗ୍ରାମ ମ୍ୟାନେଜର ସୁଦର୍ଶନ ପାଢୀ କହିଛନ୍ତି, ମହିଳାମାନେ ଯେଭଳି ସିଆଳି ପତ୍ରରେ ଉନ୍ନତମାନର ଖଲି ଓ ଠୁଙ୍ଗା ତିଆରି କରି ବଜାରରେ ବିକି ପାରିବେ ଦୃଷ୍ଟିରେ ରଖି କାଦ୍ରାଗୁମା ଓ ଭାଟିଗୁମାରେ ମହିଳା ଗ୍ରୁପକୁ ଅତ୍ୟାଧୁନିକ ମେଶିନ ଯୋଗାଇ ଦିଆଯାଇଛି। ଆଗକୁ ଏଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ।