Categories: ଖେଳ

ଡୁରାଣ୍ଡ କପ୍‌ ଫୁଟ୍‌ବଲ: ବିଜୟ ସହ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୩।୮ (ତପନ ସ୍ବାଇଁ): ଆସାମର କୋକ୍ରାଝରରେ ଚାଲିଥିବା ଡୁରାଣ୍ଡ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଓଡ଼ିଶା ଏଫ୍‌ସି ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଶନିବାର ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଦଳ ୫-୦ ଗୋଲରେ ବିଏସ୍‌ଏଫ୍‌ ଏଫ୍‌ଟିକୁ ପରାସ୍ତ କରିଛି। ଗ୍ରୁପ୍‌ ‘ଇ’ର ଏହି ମ୍ୟାଚରେ ଓଡ଼ିଶା ଏଫ୍‌ସି ପକ୍ଷରୁ ଗିବସନ ସିଂ ୫୮ ଓ ୭୮ ମିନିଟରେ ୨ଟି ଏବଂ ରାହୁଲ ୫୦, ଆଫୋବା ୫୫ ଓ ରୋଶନ ୭୭ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।

ମ୍ୟାଚ ଆରମ୍ଭରୁ ଓଡ଼ିଶା ଏଫ୍‌ସି ଆକ୍ରମଣାତ୍ମକ ଖେଳିଥିଲେ ହେଁ ପ୍ରଥମାର୍ଦ୍ଧରେ ଗୋଲ ହୋଇପାରି ନ ଥିଲା। ୮ମ ମିନିଟ୍‌ରେ ଅଧିନାୟକ ସାଙ୍ଗାଙ୍କ ଶଟ୍‌ ଟାର୍ଗେଟରେ ଯାଇଥିଲେ ହେଁ ବିଏସ୍‌ଏଫ୍‌ କିପର ଚମତ୍କାର ସେଭ୍‌ କରି ଦେଇଥିଲେ। ସେହିପରି ୨୫ତମ ମିନିଟରେ କ୍ରସ୍‌ ପାସ୍‌କୁ ଠିକ୍‌ଭାବେ ଉପଯୋଗ କରାଯାଇ ପାରି ନ ଥିଲା।

ଦ୍ୱିତୀୟାର୍ଦ୍ଧରେ କିନ୍ତୁ ଓଡ଼ିଶା ଏଫ୍‌ସି ଭିନ୍ନ ଧରଣର ଖେଳ ଦେଖାଇଥିଲା। ୫୦ତମ ମିନିଟରେ ରାହୁଲ ଗୋଲ ଦେବାପରେ ଦଳ ଆଉ ପଛକୁ ଫେରି ଚାହିଁ ନ ଥିଲା। ଏହି ବିଜୟ ସହ କଳିଙ୍ଗ ଓ୍ବାରିୟର୍ସ ଦଳ ଲିଗ୍‌ ଟେବୁଲର ଶୀର୍ଷରେ ରହିଛି। ପରବର୍ତ୍ତୀ ମ୍ୟାଚରେ ଏହି ଦଳ ୬ ତାରିଖରେ ବୋଡୋଲାଣ୍ଡ ଏଫ୍‌ସିକୁ ଭେଟିବ।

Share