ମା’ଙ୍କ ଆବାହନରେ ଉତ୍ସବମୁଖର ଶ୍ରୀକ୍ଷେତ୍ର

ପୁରୀ, ୨୧ା୧୦(ଅଜିତ ମହାନ୍ତି): ଶାରଦୀୟ ଦଶହରାକୁ ନେଇ ଉତ୍ସବମୁଖର ହୋଇଉଠିଛି ଧରାପୃଷ୍ଠ। ଗାଁଠୁ ସହର ସବୁଠି ପାର୍ବଣର ମହକ। ମା’ ଦଶଭୁଜାଙ୍କ ଆବାହନ ମନ୍ତ୍ରରେ ଚଳଚଞ୍ଚଳ ପୁରୀ ସହର। ଶାରଦୀୟ ଦୁର୍ଗାତ୍ସୋବର ସ୍ବାତନ୍ତ୍ର୍ୟ ବହନ କରୁଥିବା ଶ୍ରୀକ୍ଷେତ୍ର ଏବେ ନବବଧୂଟିଏ ଭଳି ସଜେଇ ହୋଇଛି। ରଙ୍ଗିନ ଆଲୋକମାଳାରେ ଝଲସୁଛି ପୂଜାମଣ୍ଡପ ଓ ବିଭିନ୍ନ ଦେବୀପୀଠ। ସହରର ଗଳିକନ୍ଦିରେ ଆକର୍ଷଣୀୟ ଦେବୀ ମୂତ୍ତର୍ର୍ି ଏବଂ ନାଗା ଆକର୍ଷଣ ପାଲଟିଛି। ପ୍ରତ୍ୟେକ ଦେବୀ ମୂର୍ତ୍ତିଙ୍କ ଉପାସନା ସହିତ ସାହିର ଜାଗା, ଆଖଡ଼ା ସମ୍ପୃକ୍ତ ରହିଛି। ସେଥିଲାଗି ସମସ୍ତ ଜାଗା, ଆଖଡ଼ା ଚଳଚଞ୍ଚଳ ହୋଇପଡ଼ିିଛି। ଶ୍ରୀକ୍ଷେତ୍ରର ବିଭିନ୍ନ ଶକ୍ତିପୀଠରେ ଶୁକ୍ରବାର ସପ୍ତମୀ ପୂଜା ସମ୍ପନ୍ନ ହୋଇଛି। ବିଶେଷକରି ଶ୍ରୀମନ୍ଦିରରେ ମା’ ବିମଳାଙ୍କ ସମେତ ଭିତରବେଢ଼ା ପରିସରସ୍ଥ ମା’ ଭୁବନେଶ୍ୱରୀ, ବଟମଙ୍ଗଳା, ଉତ୍ତରାୟଣୀଙ୍କ ସମେତ ଶ୍ରୀକ୍ଷେତ୍ର ଠାକୁରାଣୀ, ମା’ଦକ୍ଷିଣକାଳୀ, ଆଲାମଚଣ୍ଡୀ, କପିଳେଶ୍ୱର ଶାସନର ମା’ ପଞ୍ଚମୁଖୀ, ମା’ ବାସେଳୀ, ମା’ ମଙ୍ଗଳା, ମା’ ମରିଚୀ ଠାକୁରାଣୀ, ମା’ ବାଟକାଳୀ, ମା’ ବାଙ୍କୀମୁହାଣ ରାମଚଣ୍ଡୀ, ମା’ ବାଟମଙ୍ଗଳା, ଜେନାରିଗଛ ରାମଚଣ୍ଡୀ, ଶ୍ୟାମାକାଳୀ ପ୍ରଭୃତି ପୀଠରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ମା’ ବିମଳାଙ୍କ ପ୍ରତିନିଧି ଭାବେ ପୂଜିତ କାକୁଡ଼ିଖାଇ ମୃଣ୍ମୟୀ ପ୍ରତିମାଙ୍କ ମଧ୍ୟ ସପ୍ତମୀ ପୂଜା କରାଯାଇଛି। ମହାସପ୍ତମୀ ତିଥି ଅବସରରେ ମା’ ଦକ୍ଷିଣକାଳୀଙ୍କ ସୁନାବେଶ, ବାଙ୍କୀମୁହାଣ ରାମଚଣ୍ଡୀଙ୍କୁ ସିଂହବାହିନୀ ବେଶ, ଜେନାରୀ ଗଛ ରାମଚଣ୍ଡୀ ପୀଠରେ ଚନ୍ଦନ ବେଶ, ଶ୍ୟାମାକାଳୀଙ୍କର ମହିଷାମର୍ଦ୍ଦିନୀ, ଶ୍ରୀକ୍ଷେତ୍ର କଲୋନୀ ମା’ ମଙ୍ଗଳାଙ୍କର ମହିଷା ମର୍ଦ୍ଦିନୀ ବେଶ କରାଯାଇଥିବା ବେଳେ ବାସେଳୀ ସାହି ବାସେଳୀ ଠାକୁରାଣୀ ସ୍ବର୍ଣ୍ଣବେଶ ଏବଂ ମରିଚୀ ଠାକୁରାଣୀଙ୍କୁ ମହାଗାୟତ୍ରୀ ବେଶ ଅନୁଷ୍ଠିତ ହୋଇଛି। ଶ୍ରୀକ୍ଷେତ୍ରର ବିଭିନ୍ନ ସାହି ପୂଜାମଣ୍ଡପରେ ଶୁକ୍ରବାର ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇଥିବାବେଳେ ଶନିବାର ସପ୍ତମୀ ପୂଜା ହେବ। ପୂଜା ମଣ୍ଡରେ ନିର୍ମିତ ବାରବାଟୀ, ଜହି୍ନଖାଇ, ଶୂନ୍ୟଗୋସାଣୀ, ହରଚଣ୍ଡୀ, ଗେଲବାଇ ବନଦୁର୍ଗା, ଚକ୍ରକୋଟ, ଭୋଗଜାଗା, ବେଲବାଇ, ତ୍ରିପୁରା ସୁନ୍ଦରୀ ପ୍ରଭୃତି ଦେବୀ ମୂର୍ତ୍ତିିଙ୍କୁ ଦୁର୍ଗାମନ୍ତ୍ର ଏବଂ ନାଗାଙ୍କୁ ବନଦୁର୍ଗା ମନ୍ତ୍ରରେ ଆବାହନ କରାଯିବ। ଏଥିପାଇଁ ବିଭିନ୍ନ ପୂଜାମଣ୍ଡରେ ପ୍ରସ୍ତୁତି ଶେଷ ହୋଇଛି।

Share