ବିଦେଶ ମାଟିରେ ଶାରଦୀୟ ଦୁର୍ଗା ପୂଜା

ଫ୍ଲୋରିଡା,୧୩।୧୦: ଆମେରିକାର ଫ୍ଲୋରିଡା ରାଜ୍ୟରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ଟାମ୍ପା ସହରରେ ଶାରଦୀୟ ଦୁର୍ଗା ଉତ୍ସବର ଭବ୍ୟ ଆୟୋଜନ କରାଯାଇଛି । ସ୍ଥାନୀୟ ଆୟାପ୍ପା ମନ୍ଦିରରେ ଅକ୍ଟୋବର ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦୁର୍ଗା ପୂଜା କରାଯିବ। ସାଧାରଣତଃ କର୍ମସଂସ୍ଥାନର କଟକଣା ତଥା ବ୍ୟକ୍ତିଗତ ଜୀବନର କାର୍ଯ୍ୟଭାର ଯୋଗୁ ବିଦେଶରେ ପୂଜା,ପର୍ବପର୍ବାଣୀ ସପ୍ତାହନ୍ତରେ ପାଳନ କରାଯାଏ। କିନ୍ତୁ ସମସ୍ତ ପ୍ରକାର ପ୍ରତିକୂଳତାକୁ ଏଡାଇ ପ୍ଲୋରିଆ ପରିବାରର ସଦସ୍ୟମାନେ ତିଥି ଅନୁଯାୟୀ ଏହି ପୂଜା କରୁଛନ୍ତି। ଓଡ଼ିଶାର ପ୍ରଚଳିତ ଦୁର୍ଗାପୂଜାରେ ସମସ୍ତ ପ୍ରକାର ନୀତିକାନ୍ତିକୁ ପାଳନ କରାଯାଉଛି। ଟାମ୍ପା ନିକଟବର୍ତ୍ତୀ ଅଲାଣ୍ଡୋ ତଥା ଅନ୍ୟ ସହରରେ ରହୁଥିବା ଅନ୍ୟ ପ୍ରବାସୀ ଭାରତୀୟମାନେ ମଧ୍ୟ ଏହି ପୂଜାରେ ବହୁ ସଂଖ୍ୟାରେ ଯୋଗଦେଉଛନ୍ତି। କୋଭିଡ୍‌-୧୯ ସଚେତନା ସମ୍ପର୍କିତ ସମସ୍ତ ନିୟମାବଳୀକୁ ମାନି ଏହି ପୂଜା କରାଯାଉଛି। ତେବେ ନିଜ ଦେଶରେ ବ୍ୟବହୃତ ହୋଇଥିବା ସମସ୍ତ ପ୍ରକାର ପୂଜା ସାମଗ୍ରୀ ଏବଂ ପୂଜା ପଦ୍ଧତିକୁ ବିଦେଶରେ ଅନୁଭବ କରି ଶ୍ରଦ୍ଧାଳୁମାନେ ଖୁସି ପ୍ରକଟ କରିଛନ୍ତି। ଏହି ପ୍ରକାର ଭବ୍ୟ ଆୟୋଜନ ମାଧ୍ୟମରେ ଓଡ଼ିଶାର ପରମ୍ପରା , ଐତିହ୍ୟ ତଥା ବର୍ତ୍ତମାନକୁ ଅନ୍ୟ ମାନଙ୍କ ପାଖରେ ପହଞ୍ଚାଇବା ପ୍ରୟାସ ଜାରି ରହିଛି। ଫ୍ଲୋରିଆର ବରିଷ୍ଠ ସଦସ୍ୟମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯୁବ ସଦସ୍ୟମାନେ ଏହି ଶାରଦୀୟ ଦୁର୍ଗା ପୂଜାକୁ ସୁଚାରୂ ରୂପେ ସମ୍ପାଦନା କରିଛନ୍ତି।

Share