ଫ୍ଲୋରିଡାରେ ପ୍ରବାସୀ ଓଡ଼ିଆ ପାଳିଲେ ଦୁର୍ଗାପୂଜା

ଫ୍ଲୋରିଡା,୫।୧୦: ସାରା ଦେଶରେ ଏବେ ଦୁର୍ଗାପୂଜାର ମାହୋଲ। ଗାଁଠୁ ସହର ଦେଶରୁ ବିଦେଶ ପର୍ଯ୍ୟନ୍ତ ସବୁଠି ଉତ୍ସବର ମାହୋଲ। କରୋନା ପାଇଁ ଗତ ୨ବର୍ଷ ହେଲା ଦୁର୍ଗାପୂଜା ପାଳନ କେବଳ ରୀତିନୀତିରେ ସୀମିତ ରହିଥିଲା। ହେଲେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ ପାଳନ କରାଯାଇଛି। ନବରାତ୍ରୀ ସମୟରେ ଅନେକ ସ୍ଥାନରେ ଗରବା ନାଚର ମଧ୍ୟ ଆୟୋଜନ କରାଯାଇଛି। ହେଲେ ଏସବୁ କାର୍ଯ୍ୟକ୍ରମରେ ଆମେରିକା ମଧ୍ୟ ପଛରେ ରହିନାହିଁ। ଆମେରିକାର ଫ୍ଲୋରିଡାରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ବହୁ ଧୁମ୍‌ଧାମ୍‌ରେ ଦୁର୍ଗାପୂଜା ପାଳନ କରିଛନ୍ତି। ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଗଠିତ ହୋଇଥିବା ‘ଫ୍ଲୋରିଆ’ ଅନୁଷ୍ଠାନ ପକ୍ଷରୁ ଶାରଦୀୟ ଦୁର୍ଗାପୂଜାର ଭବ୍ୟ ଆୟୋଜନ କରାଯାଇଛି। ଟାମ୍ପା ସହରର ଆୟାପ୍ପା ମନ୍ଦିରରେ ସେପ୍ଟେମ୍ବର ୩୦ରୁ ଆକ୍ଟୋବର ୪ତାରିଖ ପର୍ଯ୍ୟନ୍ତ ମା’ଙ୍କ ପୂଜାର୍ଚ୍ଚନା ଜାରି ରହିଛି। ପ୍ରତିଦିନ ସନ୍ଧ୍ୟାରେ ମହାଆଳତୀ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି। ଏତଦ୍‌ ବ୍ୟତୀତ ଭଜନ ସନ୍ଧ୍ୟା, ସାମୂହିକ ଗରବା ସାଙ୍ଗକୁ କୁନି କୁନି ପିଲାଙ୍କ ଦ୍ୱାରା ଦାଣ୍ଡିଆ ପରିବେଷଣ ଟାମ୍ପା ସହରକୁ ଆହୁରି ଉତ୍ସବ ମୁଖର କରିଦେଇଛି। କେବଳ ଓଡ଼ିଆ ନୁହଁନ୍ତି ଅନ୍ୟାନ୍ୟ ପ୍ରବାସୀ ଭାରତୀୟମାନେ ମଧ୍ୟ ବହୁ ସଂଖ୍ୟାରେ ଏଥିରେ ଯୋଗଦେଇଥିଲେ। ଅନ୍ୟପଟେ ସେପ୍ଟେମ୍ବର ୨୮ ତାରିଖରେ ‘ଇଆନ’ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ସହାୟତା କରିବା ପାଇଁ ଫ୍ଲୋରିଆ ଅନୁଷ୍ଠାନ ପକ୍ଷରୁ ଅନୁଦାନ ସଂଗ୍ରହ କରାଯାଇଥିଲା।

Share