କୋଟପାଡ଼ରେ ରାଜ ରାଜୁଡ଼ା ସମୟର ଦୁର୍ଗାପୂଜା

କୋଟପାଡ଼,୩୦ା୯(ଡି.ଏନ.ଏ.): କୋରାପୁଟ ଜିଲା କୋଟପାଡ଼ ଅଞ୍ଚଳ ଦଶହରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ରାଜା ରାଜୁଡା ସମୟରୁ ପାଳିତ ହେଇ ଆସୁଥିବା ଏହି ଦଶହରାରେ ନିକଟସ୍ଥ ଛତିଶଗଡର ଜଗଦଲପୁର, ବସ୍ତର ଜିଲାରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଦୋନ୍ତେୱାଡ଼ାର ଦାନ୍ତେଶ୍ୱରୀ ଠାକୁରାଣୀଙ୍କ ପୂଜା ପାଠ ନିୟମ ଅନୁଯାୟୀ ଏଠାରେ ମା’ ମାଉଲି ଠାକୁରାଣୀଙ୍କ ପୂଜାପାଠ ହେଇଥାଏ। ସହରର ଆରାଧ୍ୟ ଦେବୀ ମା ମାଉଲିଙ୍କ ମନ୍ଦିରରୁ ପ୍ରତିପଦା ପ୍ରଥମ ଦିନରେ ଏକ ବାଉଁଶ ଲାଠି ବାହାର କରାଯାଇ ଦମୟନ୍ତୀ ସାଗର କୁଲରାଣୀ ଘାଟରେ ପଣ୍ଡିତମାନଙ୍କ ଦ୍ୱାରା ପୂଜାପାଠ କରି ମା’ ମାଉଲି ମନ୍ଦିର ସମ୍ମୁଖରେ ସ୍ଥାପନ କରାଯାଇଥାଏ। ଉକ୍ତ ଦିନରୁ କଳସୀ ସ୍ଥାପନା କରି ନବରାତ୍ର ପୂଜା ହେଇଥାଏ l ସେହି ଦିନଠାରୁ ବିଭିନ୍ନ ଦେବୀ ମନ୍ଦିରରେ ମାନସିକଧାରୀ ମାନେ କଳସ ସ୍ଥାପନ କରି ନବରାତ୍ରି ଉପାସନା କରିଥାନ୍ତି। ପ୍ରତ୍ୟେହ ସନ୍ଧ୍ୟାରେ ମା ଙ୍କ ମନ୍ଦିରରୁ ପଣ୍ଡିତଙ୍କ ପୂଜା ପାଠ ପରେ ମା’ଙ୍କ ଆଜ୍ଞାମାଳ ଆସିଥାଏ। ଏହାକୁ ନେଇ ଏକ ଘୋଡାରେ ମା’ଙ୍କୁ ବିରାଜମାନ କରି ଏକ କିମି ଦୂର ବାରଗଡ ସାହି ନିକଟସ୍ଥ ମା ଶୀତଳା ଠାକୁରାଣୀଙ୍କୁ ଭେଟିବାକୁ ଅଣାଯାଇଥାଏ। ଦଶହରା ସମୟରେ ମନ୍ଦିର ପରିଚାଳନା କମିଟି ଏବଂ କେତେକ ସାଂସ୍କୃତିକ ସଂଘ ପକ୍ଷରୁ କଳାକାରମାନେ ମହିଷା ମର୍ଦ୍ଦିନୀ ସହ ଅନ୍ୟାନ୍ୟ ନାଟକ ପରିବେଷଣ କରିଥାନ୍ତି। ଢାମ୍ଫ, ମହୁରୀ, ନାଗାରା, ସଂକୀର୍ତ୍ତନର ତାଳେତାଳେ ମା’ଙ୍କୁ ପାଛୋଟି ନିଆଯାଇଥାଏ । ପ୍ରଶାସନ ତରଫରୁ ଶାନ୍ତି ଶୃଙ୍କଳା ରକ୍ଷା ସକାଶେ ପୋଲିସ ମୁତୟନ ହୁଏ। ଏହି ଅଞ୍ଚଳରେ ଶେଷ ଦଶହରା ଦିନ ତିନି କିମି ଦୂର ଦଶହରା ପଡିଆକୁ ମା’ ମାଉଲିଙ୍କୁ ଏକ ବିମାନରେ ନିଆଯାଇଥାଏ। ଉକ୍ତ ବିମାନକୁ କେବଳ ମାଳି ସମ୍ପ୍ରଦାୟର ପୁରୁଷମାନେ ନେଇଥାନ୍ତି l ଦଶହରା ଦିନ କୋଟପାଡ଼ ତଥା ଆଖପାଖ ଗ୍ରାମାଞ୍ଚଳର ଦେବା ଦେବୀଙ୍କ ଲାଠି ବାହାରି ସହର ପରିକ୍ରମା କରି ଦଶହରା ପଡିଆକୁ ବିଜେ କରିଥାନ୍ତି l ଦଶହରା ପଡିଆରେ ଆତସବାଜି ସହ ରାବଣ ପୋଡି ହୋଇଥାଏ। ଚଳିତ ବର୍ଷ କୋଟପାଡ ଅଞ୍ଚଳରେ ୪ଟି ପୂଜା କମିଟି ତରଫରୁ ପୂଜା ହେଉଛି l ଦଶ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ରହିଛି।

Share