Categories: ଫୁରସତ

ମା’ଙ୍କ ପୂଜାରେ ସମର୍ପିତ ମୁସଲମାନ, ଖ୍ରୀଷ୍ଟିଆନ୍‌: କିଏ ମେଢ଼ ତିଆରି କରୁଛନ୍ତି ତ କିଏ…

ମା’ କେବଳ ମା’। ସେ ସନ୍ତାନର ଲାଳନପାଳନ କରନ୍ତି, ତା’ର ମଙ୍ଗଳ କାମନା କରନ୍ତି। ସଂହାର କରନ୍ତି ତ କେବଳ ଦୁଷ୍ଟ ଶକ୍ତିର। ବିନାଶ କରନ୍ତି ତ କେବଳ ପୈଶାଚିକ ପ୍ରବୃତ୍ତିର। ମା’ ସେ ଜଗଜ୍ଜନନୀ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସେ ତାଙ୍କ ମାତୃତ୍ୱରେ ସମସ୍ତଙ୍କୁ କୋଳେଇ ନିଅନ୍ତି। ତାଙ୍କ ମମତ୍ୱ, ପ୍ରେମ ଓ ଅଭୟ ହିଁ ଏକତ୍ରିତ କରେ ଭିନ୍ନ ଭିନ୍ନ ବର୍ଗ ଓ ସମ୍ପ୍ରଦାୟର ମଣିଷଙ୍କୁ। ସେଥିପାଇଁ ପାର୍ବଣର ଉଲ୍ଲାସରେ ଯିଏ ଯେଉଁ ଧର୍ମ ବା ଜାତିର ହୁଅନ୍ତୁନା କାହିଁକି ମା’ଙ୍କ ପୂଜା ଓ ପରମ୍ପରାକୁ ବିଧିପୂର୍ବକ ପାଳନ କରିବା ପାଇଁ ସଭିଏ ଆଗେଇ ଆସନ୍ତି। ବିଶେଷ କରି ହିନ୍ଦୁଧର୍ମରେ ଦେବୀ ଦୁର୍ଗାଙ୍କୁ ମା’ ରୂପେ ପୂଜା କରାଯାଉଥିବାବେଳେ ମୁସଲମାନ ଓ ଖ୍ରୀଷ୍ଟିଆନମାନେ ମଧ୍ୟ ଏଥିରେ ନିଜକୁ ସାମିଲ କରିଛନ୍ତି। ବିଶ୍ୱମଙ୍ଗଳ ପାଇଁ, ନିଜର ତଥା ପରିବାରର ମଙ୍ଗଳ ପାଇଁ ମାତୃଶକ୍ତିଙ୍କ ଶରଣାପନ୍ନ ହୋଇଛନ୍ତି। କିଏ ମା’ଙ୍କ ମେଢ଼ ତିଆରି କରୁଛନ୍ତି ତ କିଏ ଭୋଗ ପୁଣି କିଏ କର୍ତ୍ତା ହେଇ ପୂରା ପୂଜାର ଦାୟିତ୍ୱ ନେଇଛନ୍ତି ଆଉ ଦେଖେଇ ଦେଇଛନ୍ତି ମା’ ସଭିଙ୍କର…

ଦେବୀ ପୂଜାରେ କର୍ତ୍ତା ହୁଅନ୍ତି ମୁସଲମାନ ଦଳବେହେରା: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ମାଣିକାଗୋଡ଼ା ଗାଁ; ଯେଉଁଠି କେଉଁ ପୂରାକାଳରୁ ହିନ୍ଦୁ ଓ ମୁସଲମାନମାନେ ମିଳିତ ଭାବେ ପାଳନ କରିଆସୁଛନ୍ତି ଦଶହରା ପର୍ବ, ଯାହା ହିନ୍ଦୁ ମୁସଲିମ ଭାଇଚାରାର ଏକ ବିରଳ ଆଉ ସୁନ୍ଦର ଦୃଶ୍ୟ। ଆଶ୍ୱିନୀ ଶୁକ୍ଳପକ୍ଷ ସପ୍ତମୀ ରାତିରୁ ଆରମ୍ଭ ହୋଇ ବିଜୟାଦଶମୀରେ ଅପରାଜିତା ହୋମରେ ସମାପ୍ତ ହୋଇଥାଏ ଏହି ପର୍ବ। ସାଧାରଣତଃ ବିଜୟା ଦଶମୀ ବା ଦଶହରାରେ ବ୍ରାହ୍ମଣମାନେ ପୂଜା କରୁଥିବା ବେଳେ ଏଠାରେ କିନ୍ତୁ ମୁସଲମାନ ଦଳବେହେରା କର୍ତ୍ତା ସାଜି ହାତରେ କୁଶବଟୁ ପିନ୍ଧି ଅପରାଜିତା ହୋମରେ ଆହୁତି ଦେଇଥାନ୍ତି। ବହୁ ପୂର୍ବରୁ ଏହି ନିଆରା ପରମ୍ପରା ଏଠାରେ ଚାଲି ଆସୁଛି। ୪ଦିନ ଧରି ଦଶହରା ପର୍ବକୁ ହିନ୍ଦୁ ଓ ମୁସଲମାନ ମିଳିମିଶି ପାଳନ କରି ଆସୁଥିବାବେଳେ ଯଜ୍ଞର ସମସ୍ତ ଖର୍ଚ୍ଚ ବହନ କରନ୍ତି ମୁସଲମାନ ପରିବାର। ଗ୍ରାମର ସବୁ ବର୍ଗର ଲୋକ ଏକାଠି ଏହି ପର୍ବର ମଜା ନେଇଥାନ୍ତି। ବିଭିନ୍ନ ଅଞ୍ଚଳରୁ ଲୋକେ ମଧ୍ୟ ଏଥିରେ ସାମିଲ ହୋଇଥାନ୍ତି; ଯାହା ସର୍ବଧର୍ମ ସମନ୍ବୟ ଓ ଭ୍ରାତୃଭାବର ପରିଚୟ ଦେଇଥାଏ।

ଏଠାରେ ସପ୍ତମୀ ତିଥିରେ ମା’ ଭଗବତୀଙ୍କ ପୀଠ ସମ୍ମୁଖ ମଣ୍ଡପ ପିଢ଼ା ଉପରେ ଗଜପତିଙ୍କ ପ୍ରଦତ୍ତ ଦଳବେହେରାଙ୍କ ଖଡ୍ଟ, କୋଠକରଣଙ୍କ ଲେଖନୀ ଓ ତାଳପତ୍ର, ମହିଷମର୍ଦ୍ଦିନୀଙ୍କ ବିଜେ ପ୍ରତିମା, ଅଷ୍ଟଧାତୁର ବିରାଟ କଟାରି ଓ ଦିବ୍ୟସିଂହପୁର ଗ୍ରାମ କନଦୁର୍ଗାଙ୍କୁ ରଖାଯାଇ ଏକାଠି ପୂଜା କରାଯାଏ। ଦଶହରା ପୂର୍ବାହ୍ନରେ ମାନସିକଧାରୀ ମା’ଙ୍କ ନିକଟରେ ନୈବେଦ୍ୟ ଅର୍ପଣ କରନ୍ତି। ସନ୍ଧ୍ୟାରେ ମାଣିକଭୂୟାଁ ଠାକୁରାଣୀଙ୍କ ବିଜେ ପ୍ରତିମା କାଷ୍ଠ ମୁଷଳଙ୍କୁ ଅଣାଯାଇଥାଏ। ଠାକୁରାଣୀ, ପୂଜକ କନ୍ଧ ଜାନୀଙ୍କ ଦେହରେ ସବାର ହୋଇ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତି। ସନ୍ଧ୍ୟାରେ ମାଣିକଭୂୟାଁ ଠାକୁରାଣୀ ରୋଶଣି ପଟୁଆରରେ ମୁସଲମାନ ଦଳବେହେରାଙ୍କ ଦୁଆରକୁ ଆସି ଫଳ ଓ ଶୁଖିଲା ଭୋଗ ଗ୍ରହଣ କରିଥାନ୍ତି। ମା’ଙ୍କ ଭୋଗକୁ ହିନ୍ଦୁ, ମୁସଲମାନଙ୍କ ସହ ଅନ୍ୟ ସମ୍ପ୍ରଦାୟର ଲୋକ ମଧ୍ୟ ଗ୍ରହଣ କରିଥାନ୍ତି; ଯାହା ଭାଇଚାରାର ଏକ ସୁନ୍ଦର ନିଦର୍ଶନ। ଏହାପରେ ଠାକୁରାଣୀଙ୍କ ସହ ମୁସଲମାନ ଦଳବେହେରା ଭଗବତୀଙ୍କ ପୀଠରେ ପହଞ୍ଚନ୍ତି। ଭଗବତୀଙ୍କ ପୀଠ ଆଗରେ ୩ ଦିନ ବ୍ୟାପୀ ପୂଜା ପାଉଥିବା ଗଜପତି ପ୍ରଦତ୍ତ ଦଳବେହେରାଙ୍କ ଖଡ୍ଟ, କୋଠକରଣଙ୍କ ଲେଖନୀ ଓ ତାଳପତ୍ର, ମହିଷମର୍ଦ୍ଦିନୀଙ୍କ ବିଜେ ପ୍ରତିମା ଆଦି ପଟୁଆରରେ ସାମିଲ ହୁଅନ୍ତି। ବିରାଟ ପଟୁଆରରେ ଆସି ସମସ୍ତେ ସୋମନାଥ ଦେବଙ୍କ ମନ୍ଦିର ନିକଟରେ ପହଞ୍ଚତ୍ଥାନ୍ତି। ସେଠାରେ ଅନୁଷ୍ଠିତ ହୋଇଥାଏ ଅପରାଜିତା ହୋମ। ରାସ୍ତା ଉପରେ ଏକ ଖଟୁଲିରେ କନକଦୁର୍ଗା ଓ ମାଣିକଭୂୟାଁଙ୍କ କାଷ୍ଠ ମୁଷଳକୁ ସେବକମାନେ ଧରିଥାନ୍ତି। ପାର୍ଶ୍ୱବର୍ତ୍ତୀ ମନ୍ଦିରରେ ସୋମନାଥ ଦେବ ନିଜ ବେଢ଼ାରେ ବିଜେ କରିଥିବା ବେଳେ ଅପରପାର୍ଶ୍ୱରେ ମା’ ଦୁର୍ଗା ନିଜ ବିମାନରେ ବିଜେ କରିଥାନ୍ତି। ହୋମରେ ଦଳବେହେରା, କୋଠକରଣ, ବ୍ରାହ୍ମଣ, ପଣ୍ଡିତ, ମାନସିଂହ, ଶବର, କନ୍ଧ ଓ ଅନ୍ୟ ସମ୍ପ୍ରଦାୟର ଲୋକେ ବସନ୍ତି। ରାଜଗୁରୁ କୁଶବଟୁ ପିନ୍ଧାଇବା ପରେ ମୁସଲମାନ ଦଳବେହେରା କର୍ତ୍ତା ହୋଇ ହୋମରେ ଘୃତାହୁତି ଦିଅନ୍ତି। ଅପରାଜିତା ହୋମ ଶେଷ ପରେ ମା’ କନକ ଦୁର୍ଗାଙ୍କ ଆଖିରୁ ଶୁକ୍ଳପକ୍ଷ ସପ୍ତମୀରେ ଖୋଲା ଯାଇଥିବା ଅନ୍ଧପୁଟଳି ବିଜୟା ଦଶମୀରେ ପୁଣି ବନ୍ଧା ହୋଇଥାଏ। ମା’ଙ୍କ ଆଖିରୁ ବର୍ଷକର ୩୬୫ ଦିନ ମଧ୍ୟରୁ କେବଳ ୪ଦିନ ପାଇଁ ଅନ୍ଧ ପୁଟୁଳି ଖୋଲାଯାଇଥାଏ। ହୋମ ଶେଷରେ ମା’ କନକ ଦୁର୍ଗାଙ୍କ ଆଖିରେ ଅନ୍ଧପୁଟଳି ବାନ୍ଧିବା ପରେ ଅପରାଜିତା ହୋମ ଉଦ୍‌ଯାପିତ ହୋଇଥାଏ। ହୋମ ପରେ ଶୁଖିଲା ପ୍ରସାଦ ହିନ୍ଦୁ, ମୁସଲମାନଙ୍କ ସମେତ ଅନ୍ୟ ଧର୍ମାବଲମ୍ବୀମାନେ ସେବନ କରିଥାନ୍ତି। ଜୟଧ୍ୱନି, ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଥାଏ ପରିବେଶ। ହୋମ ସମାପ୍ତି ପରେ ଠାକୁରାଣୀ ପଟୁଆରରେ ନିଜ ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଏହି ନିଆରା ପୂଜା ପରମ୍ପରା ସମ୍ପର୍କରେ ମାଣିକାଗୋଡ଼ାର ଆଇନଜୀବୀ ଅମିୟ ପଟ୍ଟନାୟକ କୁହନ୍ତି, ଆମ ଗ୍ରାମରେ ହିନ୍ଦୁ ଏବଂ ମୁସଲମାନଙ୍କ ମଧ୍ୟରେ ସୁସମ୍ପର୍କ ରହିଛି। ହିନ୍ଦୁ ଦେବଦେବୀଙ୍କ ପୂଜା ମୁସଲମାନ ସମ୍ପ୍ରଦାୟ ଏବଂ ମୁସଲମାନଙ୍କ ପର୍ବରେ ହିନ୍ଦୁମାନେ ପରସ୍ପରକୁ ଶୁଭେଚ୍ଛା ବାର୍ତ୍ତା ଦେଇଥା’ନ୍ତି। ଉଭୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା, ସୁସମ୍ପର୍କ ରହିଛି। ମୁସଲମାନମାନଙ୍କ ଇଦ୍‌, ମହରମରେ ହିନ୍ଦୁମାନେ ଅତି ଆଗ୍ରହର ସହ ସାମିଲ ହୋଇଥାନ୍ତି। ସେହିପରି ଅବଦୁଲ ଜବାର ଖାଁ କୁହନ୍ତି,‘ପୁରୀ ଗଜପତି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମାଣିକାଗୋଡ଼ା ଠାକୁରାଣୀଙ୍କ ନିକଟରେ ନିଆରା ଦଶହରା ପର୍ବର ପରମ୍ପରା ଅତି ପ୍ରାଚୀନ। ଏଠି ସମସ୍ତେ ମିଳିମିଶି ପରସ୍ପର ମଧ୍ୟରେ ସ୍ନେହ, ଶ୍ରଦ୍ଧା ପୂର୍ବକ ଉତ୍ସବ ପାଳନ କରନ୍ତି।’ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ କୁହନ୍ତି, ‘ଏହା ମାଣିକାଗୋଡ଼ାର ଗଣପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ମୁସଲମାନଙ୍କ ଦ୍ୱାରା ଠାକୁରାଣୀଙ୍କୁ ସମର୍ପିତ ପ୍ରସାଦକୁ ହିନ୍ଦୁ ଭାଇମାନେ ଅତି ଆଦରର ସହ ଗ୍ରହଣ କରିଥାନ୍ତି। ସବୁଠି ଦଶହରା ଉତ୍ସବ ତ ପାଳିତ ହୋଇଥାଏ କିନ୍ତୁ ଏଠି ଭାଇଚାରାର ପରିଚୟ ବହନ କରେ। ଉଭୟ ସମ୍ପ୍ରଦାୟ ଏହାକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି। ଏହି ନିଆରା ପରମ୍ପରା ଦେଖିବାକୁ ମାଣିକାଗୋଡ଼ାରେ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ।

ମା’ଙ୍କ ସାଜସଜ୍ଜାରେ ମୁସଲମାନ ପରିବାର: କଟକ ବାଙ୍କା ବଜାରର ମସଜିଦ୍‌ ଗଳିରେ ବାସ କରନ୍ତି ବିଶିଷ୍ଟ ମେଢ଼ ଶିଳ୍ପୀ ସୟଦ ଅସଲମ ଅଲ୍ଲୀ। ଷାଠିଏ ଦଶକରୁ ପିଢ଼ି ପରେ ପିଢ଼ି କଟକ, ଭୁବନେଶ୍ୱର ସହିତ ରାଜ୍ୟର ଅଧିକାଂଶ ପୂଜାମଣ୍ଡପର ଆକର୍ଷଣ ବଢ଼ାଉଥିବା ତାରକସି ମେଢ଼ ଓ ଜରି ମେଢ଼ ନିର୍ମାଣରେ ଏହି ମୁସ୍‌ଲିମ ପରିବାର ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି। ଗଣେଶପୂଜା ମଣ୍ଡପଠାରୁ ଆରମ୍ଭ କରି ଦୁର୍ଗା ମଣ୍ଡପ, ଲକ୍ଷ୍ମୀପୂଜା ମଣ୍ଡପ, କାଳିପୂଜା ମଣ୍ଡପ ସଜାସଜି ପାଇଁ ସମସ୍ତେ ଖୋଜନ୍ତି ସୟଦ ଅସଲମ ଅଲ୍ଲୀଙ୍କୁ। ଷାଠିଏ ଦଶକରେ କଟକ ବାଙ୍କା ବଜାରରେ ଜେଜେବାପା ମେହେବୁବ ଅଲ୍ଲୀ ପ୍ରଥମେ ଓଭରଫ୍‌ରେ ମଇଦା ଅଠା ଲଗାଇ ମେଢ଼ ତିଆରି କରି କଟକ ସହରର ଭିନ୍ନ ଭିନ୍ନ ପୂଜା ମଣ୍ଡପକୁ ଯୋଗାଇ ଆସୁଥିବାବେଳେ ୧୯୮୦ ମସିହାରୁ ବାପା ଅମିର ଅଲ୍ଲୀ ଏହି ଜରିମେଢ଼ କାମରେ ନିଜକୁ ନିଯୁକ୍ତି କରିଥିବା କୁହନ୍ତି ମେଢ କାରିଗର ସୟଦ ଅସଲମ ଅଲ୍ଲୀ। ୧୯୯୦ ମସିହା ପରଠାରୁ ବାପାଙ୍କୁ ଏହି ମେଢ଼ କାରିଗରିରେ ସହାୟତା କରି ପରବର୍ତ୍ତୀ ସମୟରେ ନୂଆ ଡିଜାଇନର ତାରକସି, ବୁଲିଆନ କାମରେ ଖଚିତ ମେଢ଼ ତିଆରି କରି ବେଶ୍‌ ସୁନାମ ଅର୍ଜନ କରିବା ସହ ଜୀବିକା ନିର୍ବାହ କରୁଛନ୍ତି ସୟଦଙ୍କ ପରିବାର। ଯାହାଙ୍କ ମେଢ଼ ରାଉରକେଲା, ବ୍ରହ୍ମପୁର, କଟକ, ଭୁବନେଶ୍ୱର, ରାଜଗାଙ୍ଗପୁର ସହିତ ହାଇଦ୍ରାବାଦରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ମୁସଲିମ ଧର୍ମର ହୋଇଥିଲେ ମଧ୍ୟ ଜଗନ୍ନାଥ ସଂସ୍କୃତି ଅନୁସରଣରେ ପବିତ୍ର ଅକ୍ଷୟତୃତୀୟାରେ ପ୍ରଥମେ ମେଢ଼ ପାଇଁ ବାଉଁଶକଟା କାର୍ଯ୍ୟ ଆରମ୍ଭ କରିଥାନ୍ତି। ପଞ୍ଚୁକ ଶେଷ ଅର୍ଥାତ୍‌ କାର୍ତ୍ତିକ ପୂର୍ଣ୍ଣିମାରେ ମେଢ଼ ନିର୍ମାଣ କାର୍ଯ୍ୟ ଶେଷ ହୋଇଥାଏ। ପୁଣି ବାହାଘର ଋତୁରେ ବାହାମୁକୁଟ କାର୍ଯ୍ୟ ଆରମ୍ଭ କରି ରାଜ୍ୟର କୋଣ ଅନୁକୋଣକୁ ଯୋଗାଇଥାନ୍ତି ବ୍ୟବସାୟିକ ଉଦ୍ଦେଶ୍ୟରେ। ହିନ୍ଦୁ ସଂସ୍କୃତିର ସମସ୍ତ ପୂଜାପାର୍ବଣ, ବାହାଘର କାର୍ଯ୍ୟରେ ଆବଶ୍ୟକ ମୁକୁଟ ତିଆରି କରି ନିଜ ପରିବାର ପ୍ରତିପୋଷଣ ସହ ଉଭୟ ଧର୍ମ ମଧ୍ୟରେ ଭାଇଚାରା ସୃଷ୍ଟି କରିପାରୁଥିବାରୁ ଗର୍ବ ଅନୁଭବ କରନ୍ତି ଏହି ମୁସଲିମ ପରିବାର। ଏହି ପରିବାରର ବିଶିଷ୍ଟ ଜରିମେଢ଼ ଶିଳ୍ପୀ ସୟଦ ଅସଲମ ଅଲ୍ଲୀ କୁହନ୍ତି, ତିନିପିଢ଼ି ଧରି ମୋ ପରିବାରକୁ ପରିଚୟ ସହ ଜୀବନ ଜୀବିକା ଦେଉଛି ହିନ୍ଦୁ ସଂସ୍କୃତି। ପୂଜା ପାର୍ବଣରେ ଜରିମେଢ଼, ତାରକସି ମେଢ଼ ପ୍ରସ୍ତୁତ କରିବା ସହ ଅନେକ ଅନୁଷ୍ଠାନ ଓ ପୂଜା ମଣ୍ଡପରୁ ସମ୍ମାନିତ ହେଉଥିବାରୁ ଖୁବ୍‌ ଖୁସି ଲାଗେ। ଏବେ ମୋ ପାଖରେ ମୋ ପରିବାର ୫ ଜଣ ସଦସ୍ୟ ସହ ୨୨ଜଣ କାରିଗର କାମରେ ନିୟୋଜିତ ଅଛନ୍ତି। ଗୋଟିଏ ମେଢ଼ ତିଆରି ପାଇଁ ୨୦ରୁ ୨୫ଦିନ ଲାଗିଥାଏ। ଯଦିଓ ମୁଁ ଇସଲାମ ଧର୍ମର କିନ୍ତୁ ମୋ ଜୀବନଜୀବିକା ହିନ୍ଦୁ ସଂସ୍କୃତି ସହ ଜଡିତ, ମୋ କାମ ଭାଇଚାରାର ବାର୍ତ୍ତା ଦିଏ ଯାହାକୁ ନେଇ ମୁଁ ଗର୍ବ ଅନୁଭବ କରେ। ଆଉ ଜଣେ ତାରକସି କାରିଗର ଏସ୍‌.କେ. ସକିବ ରସିଦ କୁହନ୍ତି, ‘ମୁଁ ହୋଟେଲ ମ୍ୟାନେଜମେଣ୍ଟ ପଢ଼ି ସାରିବା ପରେ କୌଣସି ନିଯୁକ୍ତି ପାଇଲି ନାହିଁ। ଦାଦାଙ୍କ ପରିବାର ଏହି ଜରିମେଢ଼ କାମ କରୁଥିଲେ, ଯାହାକୁ ଦେଖିବା ପରେ ମୁଁ ତାରକସିରେ ମେଢ଼ ନିର୍ମାଣ ଶିଖିଗଲି। ଏବେ ଏହି କାମ ମୋତେ କେବଳ ରୋଜଗାର ଦେଇନି, ସମ୍ମାନ ଦେବା ସହ ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଛି।

୨୦ ବର୍ଷ ହେବ ମା’ଙ୍କ ପୂଜା ଦାୟିତ୍ୱରେ ମୁସଲିମ୍‌ ପରିବାର: ଦୀର୍ଘ ୨୦ବର୍ଷ ହେଲା କଟକ, ମାଲଗୋଦାମ ଦୁର୍ଗାପୂଜା କମିଟିର ସମ୍ପାଦକ ଦାୟିତ୍ୱରେ ରହି ମା’ ଦୁର୍ଗାଙ୍କ ପ୍ରସାଦ ପ୍ରସ୍ତୁତିଠାରୁ ଆରମ୍ଭ କରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନେଉଛନ୍ତି ସୟିଦ ନିଜାମୁଦ୍ଦିନ ମହମ୍ମଦଙ୍କ ପରିବାର। ବଡଭାଇ ମୁସ୍ତାଫିଜ ଅହମ୍ମଦ ମାଲଗୋଦାମ ପୂଜାକମିଟିର ଫାଉଣ୍ଡର ସଦସ୍ୟ ଥିଲେ। ଯାହାଙ୍କୁ ସମସ୍ତଙ୍କୁ ଭଲ ପାଉଥିଲେ ସମ୍ମାନ ଦେଉଥିଲେ। ଭାଇଚାରା ସୃଷ୍ଟି କରୁଥିଲେ ବୋଲି ଲୋକଙ୍କର ବେଶ୍‌ ଶ୍ରଦ୍ଧା ଥିଲା ତାଙ୍କ ପ୍ରତି। ତାଙ୍କରି ପ୍ରେରଣାରେ ଏହି ଭାଇଚାରା ସମ୍ପର୍କକୁ ଆଗକୁ ବଜାୟ ରଖିବା ଲକ୍ଷ୍ୟରେ ପୂଜା କମିଟିରେ ସାମିଲ ହେଲେ ସୟିଦ ନିଜାମୁଦ୍ଦିନ । ସେ କୁହନ୍ତି, ମା’ଙ୍କ ପୂଜା କମିଟିରେ ରହି କେବଳ ମୁଁ ନୁହେଁ ମୋ ପରିବାର ମଧ୍ୟ ନିଜକୁ ଗୌରବାନ୍ବିତ ମନେକରୁଛନ୍ତି। ଯେଉଁଥିପାଇଁ ମୋର ପୂରା ପରିବାର ମୋତେ ସାହାଯ୍ୟ କରିଥାନ୍ତି। ପ୍ରତ୍ୟେକ ବର୍ଷ ମୋର ପରିବାରର ସମସ୍ତ ସଦସ୍ୟ ନବମୀ ପୂଜାରେ ନିଜକୁ ସାମିଲ କରି ମା’ଦୁର୍ଗାଙ୍କ ଦର୍ଶନ କରିଥାନ୍ତି। କଟକର ଦୁର୍ଗାପୂଜା ସବୁବେଳେ ସ୍ବତନ୍ତ୍ର। ପୂଜା କମିଟିଗୁଡିକ ମଧ୍ୟରେ ସାଜସଜ୍ଜାକୁ ନେଇ ପ୍ରତିଯୋଗିତା ଲାଗିଥିଲେ ହେଁ ଭାଇଚାରା ସହକାରେ ପୂଜା କାର୍ଯ୍ୟ ଚାଲି ଥିବାରୁ ସମସ୍ତେ ଉତ୍ସାହିତ ଥାଆନ୍ତି। ସମସ୍ତଙ୍କର ଆନ୍ତରିକତା ବି ରହିଥାଏ। ଯେଉଁଥିପାଇଁ ମୁଁ ୧୯୮୦ ମସିହାରୁ ଏଯାଏ କମିଟିରେ ରହି ଦାୟିତ୍ୱ ତୁଲାଇ ଆସୁଛି।

ସତ କହିବାକୁ ଗଲେ ପରମ୍ପରା, ଉତ୍ସବ ସବୁ ମଣିଷ ତିଆରି କରିଛି ଯାହା ସମସ୍ତଙ୍କ ଖୁସି ପାଇଁ। ଆଉ ଏହି ଖୁସିରେ ଯଦି ସମସ୍ତେ ସାମିଲ ନ ହୋଇପାରିଲେ ତା’ହେଲେ ଏହାର ଅର୍ଥ କିଛି ନାହିଁ। ଏହି କଥାକୁ ଅନୁଭବ କରି ଏମାନେ ଜାତିଧର୍ମରୁ ଊର୍ଦ୍ଧ୍ୱରେ ରହି ମା’ ଦୁର୍ଗାଙ୍କୁ ଆବାହନ କରି ତାଙ୍କ ଆଶୀର୍ବାଦ ଲାଭ କରିବା ସହ ଦୁନିଆକୁ ଏହି ବାର୍ତ୍ତା ଦେଉଛନ୍ତି ଯେ, ମା’ ସମସ୍ତଙ୍କର।
-ରୋଜାଲିନ୍‌ ମହାନ୍ତି

Share