କଟକଣାରେ ହେବ ଦୁର୍ଗାପୂଜା

ଭୁବନେଶ୍ୱର,୨୪।୯(ବ୍ୟୁରୋ): ପାଖେଇ ଆସିଲାଣି ଦୁର୍ଗାପୂଜା। କଟକଣା ଭିତରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଗୁରୁବାର ଦଶହରା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ପୂଜାକୁ ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବେ ପାଳନ କରିବା ସହିତ କରୋନା କଟକଣାକୁ ଠିକ୍‌ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବିଧି ପାଳନ ପୂର୍ବକ ବିନା ଭକ୍ତରେ ଦଶହରା ପୂଜା କରାଯିବ। ପୂଜାମଣ୍ଡପ ବା ପେଣ୍ଡାଲକୁ ୩ପଟୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯିବ। ସମ୍ମୁଖ ପାର୍ଶ୍ୱ ଆଶିଂକ ଭାବେ ଖୋଲା ରହିବ। ପୂଜା ପରେ ସମ୍ମୁଖ ଭାଗକୁ ମଧ୍ୟ ବନ୍ଦ ରଖାଯିବ, ଯେପରି କୌଣସି ଭକ୍ତ ମା’ଙ୍କ ଦର୍ଶନ କରି ପାରିବେ ନାହିଁ। ମୂର୍ତ୍ତିର ଉଚ୍ଚତା ୪ଫୁଟରୁ କମ୍‌ ରହିବା ସହ କୌଣସି ସାଂସ୍କୃତିକ କିମ୍ବା ଅନ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ ନାହିଁ। ମଣ୍ଡପ ବା ପେଣ୍ଡାଲରେ କର୍ତ୍ତା, ପୂଜକ ଓ ଅନ୍ୟମାନଙ୍କୁ ମିଶାଇ ୭ଜଣରୁ ଅଧିକ ଲୋକ ରହି ପାରିବେ ନାହିଁ। ସେହିପରି ଭସାଣି ଉତ୍ସବରେ କୌଣସି ପ୍ରକାରର ଶୋଭାଯାତ୍ରା, ଆତସବାଜି ଆଦି କରାଯାଇ ପାରିବ ନାହିଁ। ଏଥିରେ ସର୍ବାଧିକ ୧୦ଜଣ ବ୍ୟକ୍ତି ଯୋଗ ଦେଇପାରିବେ। ଭସାଣିରେ ସାମିଲ ହେଉଥିବା ବ୍ୟକ୍ତିମାନେ ଯେପରି ଦ୍ୱିତୀୟ ଡୋଜ୍‌ ଟିକାକରଣ ନେଇଥିବେ ତାହା ପୂଜା କମିଟି ତଦାରଖ କରିବ। ମୂର୍ତ୍ତିଗୁଡିକୁ ବିଏମ୍‌ସି ପକ୍ଷରୁ ନିର୍ମିତ ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯିବ ବୋଲି ନିର୍ଦ୍ଦେଶ ରହିଛି।

Share