ବାଘଛାଲ ବିକ୍ରି ପାଇଁ ଡିଲ୍‌ବେଳେ ଧରିଲା ବନବିଭାଗ

ଦେବଗଡ଼,୧୧ା୧୧(ଡି.ଏନ୍‌.ଏ.): ଦେବଗଡ଼ ବନଖଣ୍ଡ ରିଆମାଳ ଫରେଷ୍ଟ ରେଞ୍ଜ ପଳସମା ସେକ୍ସନ ବ୍ରାହ୍ମଣୀପାଲି ଗାଁ ନିକଟରେ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ବେଳେ ଧରିଛି ବନବିଭାଗ। ଘଟଣାସ୍ଥଳରୁ କୁଣ୍ଢେଇଗୋଳା ଥାନା କୁସକଲିଆ ଗାଁର ୫୫ ବର୍ଷୀୟ ପ୍ରହଲ୍ଲାଦ ପରିଡ଼ାଙ୍କୁ ଗିରଫ କରିଛି ବନବିଭାଗ।
ବାଘଛାଲ ବେପାରୀଙ୍କୁ ଧରିବା ପାଇଁ ଦେବଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଚଢ଼ାଉ ସମୟରେ ଜଣେ ବେପାରୀ ଗିରଫ ହୋଇଥିବାବେଳେ ଘଟଣାସ୍ଥଳରୁ ଆଉ କେତେଜଣ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି। ଏ ଘଟଣାରେ ସିମିଲିହୋତା ଗ୍ରାମର ପାଣ୍ଡବ ପ୍ରଧାନ(୫୦)ଙ୍କୁ ମଧ୍ୟ ବୁଧବାର ବିଳିମ୍ବିତ ରାତିରେ ଗିରଫ କରାଯାଇଛି।