ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ ଏବଂ ମିଳିତ ଜାତିସଂଘ ସାଧାରଣ ସଭାରେ ‘ସମିଟ ଅଫ ଦ ଫ୍ୟୁଚର୍‌’କୁ ସମ୍ବୋଧିତ କରିବେ।

ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ସେପ୍ଟେମ୍ବର ୨୨ରେ ନ୍ୟୁୟର୍କରେ ଭାରତୀୟ ସମ୍ପ୍ରଦାୟର ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିବେ। ଏହାପୂର୍ବରୁ ସେ ସେପ୍ଟେମ୍ବର ୨୧ରେ ଡେଲାୱେରର ୱିଲମିଙ୍ଗଟନରେ ‘କ୍ୱାଡ ଲିଡର୍ସ ସମ୍ମିଳନୀ’ରେ ଯୋଗଦେବେ। ଏହା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ୱାରା ଆୟୋଜିତ ହେବ।

ତେବେ ମୋଦିଙ୍କ ଗସ୍ତ ଭିତରେ ୱାଶିଂଟନରେ ଥିବା ଭାରତୀୟ ଦୂତାବାସର ଜଣେ ଅଧିକାରୀଙ୍କ ମିଶନ ପରିସରରେ ରହସ୍ୟମୟ ଭାବରେ ମୃତଦେହ ମିଳିଛି। ଏହି ଘଟଣା ପରେ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଆଇନ ଅଧିକାରୀ ଏବଂ ସିକ୍ରେଟ ସର୍ଭିସ ଅଧିକାରୀଙ୍କ ଦ୍ୱାରା ଏହି ଘଟଣାର ଅନୁସନ୍ଧାନ କରାଯାଉଛି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଏହି ଘଟଣାରେ ଆତ୍ମହତ୍ୟା ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ବିଭିନ୍ନ ଦିଗ ଉପରେ ଦୃଷ୍ଟି ଦିଆଯାଉଛି।

ଭାରତୀୟ ଦୂତାବାସ ଏହାର ବିବୃତ୍ତିରେ କହିଛି, ଦୁଃଖର ସହିତ ଆମେ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ୧୮ ସେପ୍ଟେମ୍ବର ୨୦୨୪ ସଂଧ୍ୟାରେ ଭାରତୀୟ ଦୂତାବାସର ଜଣେ ସଦସ୍ୟଙ୍କର ଦେହାନ୍ତ ହୋଇଛି। ମୃତଦେହକୁ ଭାରତକୁ ଫେରାଇବା ପାଇଁ ଆମେ ସମସ୍ତ ସଂପୃକ୍ତ ଏଜେନ୍ସି ଏବଂ କର୍ତ୍ତୃପକ୍ଷଙ୍କ ସହ ସମନ୍ବୟ ରକ୍ଷା କରୁଛୁ। ମୃତ ବ୍ୟକ୍ତିଙ୍କ ଗୋପନୀୟତାକୁ ଧ୍ୟାନରେ ରଖି ଆମେ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଅଛୁ, ଆମର ପ୍ରାର୍ଥନା ଏହି ସମୟରେ ପରିବାର ସହିତ ଅଛି।

 

Share