କୋମ୍ବିଂ ଅପରେଶନ ବେଳେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୨୧।୧୦(ଡି.ଏନ.ଏ.): ମାଲକାନଗିରି ଜିଲା ପୋଲିସକୁ ପୁଣି ଏକ ବଡ ସଫଳତା ମିଳିଛି। ଚଳିତ ମାସ ୧୯ତାରିଖରେ ମାଲକାନଗିରି ଏସଓଜି ଯବାନମାନେ ମାଓବାଦୀ ବିରୋଧୀ ଅଭିଯାନ ନିମନ୍ତେ ତୁଳସୀ ପାହାଡ଼ ଅଭିମୁଖେ କୋମ୍ବିଂ ଅପରେଶନ ଆରମ୍ଭ କରିଥିଲେ । ତୁଳସୀ ପାହାଡ଼ ଅନ୍ତର୍ଗତ କଟୁଆପଦର ଗାଁ ନିକଟ ଜଙ୍ଗଲରେ କୋମ୍ବିଂ ଅପରେଶନ ବେଳେ ମାଟି ତଳେ ପୋତା ହେଇଥିବା କେତେକ ମାଓବାଦୀ ସାମଗ୍ରୀ ଜବତ କରିଥିଲେ । ଏହି ମାଓବାଦୀ ସାମଗ୍ରୀ ମଧ୍ୟରେ ମାଓବାଦୀ ପୁସ୍ତିକା , ୨ ଟି ବନ୍ଧୁକ , ୬ ଟି ଆଇଡି ବୋମା , କିଛି ଔଷଧ ମଧ୍ୟ ଜବତ ହୋଇଥିଲା। ଏହି ଜବତ ସାମଗ୍ରୀ ମଧ୍ୟରେ ବିପୁଳ ମାତ୍ରାରେ ଗର୍ଭ ନିରୋଧକ ବଟିକା ମିଳିଥିଲା । ଯାହାକି ମହିଳା ମାଓବାଦୀମାନଙ୍କୁ କ୍ୟାଡରମାନେ ଅଧିକ ମାତ୍ରାର ଶୋଷଣ କରୁଥିବା ଜଣାପଡିଛି। ତେବେ ମାଲକାନଗିରି ଜିଲାରୁ ଅନେକ ଅଞ୍ଚଳ ମାଓବାଦୀ ମୁକ୍ତ ହୋଇଥିବା ବେଳେ ଅନେକ କ୍ୟାଡର ମାଓବାଦୀ ଆତ୍ମ ସମର୍ପଣ ମଧ୍ୟ କରିଛନ୍ତି । ତେବେ ଯେଉଁମାନେ ବର୍ତ୍ତମାନ ମାଓବାଦୀ କାର୍ଯ୍ୟ କଳାପରେ ଲିପ୍ତ ଅଛନ୍ତି, ସେମାନେ କାର୍ଯ୍ୟକଳାପ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏସଡିପିଓ ଶୁଭେନ୍ଦୁ ପାତ୍ର ଆହ୍ବାନ ଦେଇଛନ୍ତି ।

Share