କରୋନା ସମୟରେ ସ୍ତନ୍ୟପାନ

ବର୍ତ୍ତମାନ କରୋନା ରୂପକ ଅଦୃଶ୍ୟ ଭୂତାଣୁ ସାରା ପୃଥିବୀକୁ ଆତଙ୍କିତ କରି ଦେଇଛି ା ତେଣୁ ଅନେକ ଗର୍ଭବତୀ ମହିଳାମାନେ ମଧ୍ୟ କରୋନାରେ ପୀଡିତ ହେଉଛନ୍ତି। ତେବେ ପ୍ରସବପରେ କରୋନା ଆକ୍ରାନ୍ତ ମା’ମାନେ, ନିଜ ଶିଶୁକୁ କ୍ଷୀର ଖୁଆଇଲେ ଶିଶୁଟି କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ଅନେକେ ଭୟରେ କ୍ଷୀର ଖୁଆନ୍ତି ନାହିଁ। ହେଲେ ମା’ କ୍ଷୀରରେ ଏଯାଏଁ ଏହି ଭୂତାଣୁ ଚିହ୍ନଟ ହୋଇନାହିଁ। ତେଣୁ ମା’ କରୋନା ଆକ୍ରାନ୍ତ ହୋଇଥିଲେ ଡବଲ ମାସ୍କ ପିନ୍ଧି, ହାତଧୋଇ ତଥା ସାମାଜିକ ଦୂରତା ରଖି ଶିଶୁକୁ ସ୍ତନ୍ୟପାନ କରାଇପାରିବେ। ଏହାବ୍ୟତୀତ ମା’ କରୋନାମୁକ୍ତ ହେବା ପର୍ଯ୍ୟନ୍ତ କ୍ଷୀର କାଢି ରଖିପାରିବେ ଏବଂ ପରିବାରର କୌଣସି ସଦସ୍ୟ ଏହି କ୍ଷୀରକୁ ଶିଶୁକୁ ଖୁଆଇ ପାରିବେ।

 

ମା’ର ଖାଦ୍ୟ
ମା’ କ୍ଷୀରରେ ଶିଶୁର ଶାରୀରିକ ବିକାଶ ଲାଗି ଆବଶ୍ୟକ କାର୍ବୋହାଇଡ୍ରେଟ୍‌, କ୍ୟାଲ୍‌ସିଅମ୍‌, ପ୍ରୋଟିନ୍‌, ମିନେରାଲ୍ସ, ଭିଟାମିନ୍ସ ଭଳି ସମସ୍ତ ଆବଶ୍ୟକ ପୋଷକ ତତ୍ତ୍ୱ ଭରି ରହିଛି, ଯାହା କି ପିଲା କ୍ଷୀର ଖାଇବା ଦ୍ୱାରା ମା’ ଶରୀରରୁ ହ୍ରାସ ପାଇଥାଏ। ଏହାକୁ ଭରଣା କରିବା ଲାଗି ମା’କୁ ପୂର୍ବାପେକ୍ଷା ଦୈନିକ ଭାତ ୬୦ ଗ୍ରାମ୍‌, ଡାଲି ୩୦ଗ୍ରାମ, କ୍ଷୀର ୧୦୦ଗ୍ରାମ୍‌, ତେଲ, ଘିଅ ୧୦ ଗ୍ରାମ୍‌ ଏବଂ ଚିନି, ଗୁଡ଼ ୧୦ ଗ୍ରାମ୍‌ ଅଧିକ ଖାଇବା ଆବଶ୍ୟକ। ଏହା ବ୍ୟତୀତ ରୁଟି, ଦୁଧ, ଛେନା, ଫଳ, ଶାଗୁ, ଲାଉ, ସନ୍ତୁଳା ଓ ତଟକା ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ଫଳରସଠୁ ଆରମ୍ଭକରି ଅନ୍ୟ ସବୁ ପ୍ରକାର ଖାଦ୍ୟ ଖାଇପାରିବେ। ମା’ ପ୍ରଚୁର ପାଣି ପିଇବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତେଲ ମସଲା ଖାଦ୍ୟ, ଫାଷ୍ଟଫୁଡ୍‌ ଜାତୀୟ ଖାଦ୍ୟ ନ ଖାଇବା ଭଲ।