ନାମକୁ ମାତ୍ର ନିଷିଦ୍ଧାଞ୍ଚଳ ଘୋଷଣା

କେନ୍ଦ୍ରାପଡ଼ା ଅଫିସ, ୨୭ା୧୦: ସମୁଦ୍ର ମଧ୍ୟରେ ମାଛ ହାଟ ହେଉଛି। ଟ୍ରଲର ମାଲିକମାନେ ସେଠାରୁ ମାଛ ନେଇ ଯାଉଛନ୍ତି । ଗହୀରମଥାରେ ମାଛ ମାରିବା କଟକଣା ସମୟରେ ସେଠାକୁ ଅବାଧ ପ୍ରବେଶ ଚାଲିଛି । ବନ କର୍ମଚାରୀ ଏଥିପାଇଁ ୮୦ ଲକ୍ଷ ଟଙ୍କା ବାଲେଶ୍ୱର ଜିଲାର ଟ୍ରଲରମାଲିକଙ୍କ ସହିତ ଡିଲ୍‌ କରିଛନ୍ତି । କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର କେତେଜଣ ମତ୍ସ୍ୟଜୀବୀ ଏପ୍ରକାର ଅଭିଯୋଗ ଆଣିଛନ୍ତି । ଯାହାଫଳରେ ଅଲିଭ ରିଡଲେଙ୍କ ଆଗମନ ହ୍ରାସ ପାଇବା ସହ ଗହୀରମଥାରେ ନିଷିଦ୍ଧାଞ୍ଚଳ କଟକଣା ନାମକୁ ମାତ୍ର ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକସ୍ଥିତ ବିଶ୍ୱପ୍ରସିଦ୍ଧ ଭିତରକନିକା ସଂଲଗ୍ନ ୧୪୩୫ ବର୍ଗ କିଲୋମିଟର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଛି । ପ୍ରତିବର୍ଷ ବିରଳ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ପାଇଁ ଆସୁଥିବାରୁ ଏହା ଅନ୍ତୁଡିଶାଳ ଭାବେ ପରିଚିତ । ଏହି ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ପକ୍ଷରୁ ବିଭନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥାଏ। ଏଥିପାଇଁ ଆଗମନ ଓ ପ୍ରସ୍ଥାନ ସମୟ ଅବଧି ଅର୍ଥାତ୍‌ ନଭେମ୍ବର ୧ରୁ ମେ ୧୧ ପର୍ଯ୍ୟନ୍ତ ଗହୀରମଥାକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା ହୁଏ । ତେବେ ସ୍ଥାନୀୟ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଅଭିଯୋଗ ଅନୁଯାୟୀ, ନିଷିଦ୍ଧାଞ୍ଚଳରେ ମାଛ ମାରିବା ପାଇଁ ବନ ବିଭାଗ କର୍ମଚାରୀ ଟ୍ରଲର ସଂଘ ସହ ପ୍ରତିବର୍ଷ ଡିଲ କରୁଛନ୍ତି । ଚଳିତ ବର୍ଷ ଏହି ଡିଲ ବାଲେଶ୍ୱର ଟ୍ରଲର ମାଲିକ ସଂଘ ସହ ୮୦ ଲକ୍ଷ ଟଙ୍କାରେ ହୋଇଛି । ଏଥିରେ ସ୍ଥାନୀୟ ଅଞ୍ଚଳର କେତେଜଣ ରାଜନେତାଙ୍କ ସମ୍ପୃକ୍ତି ରହିଛି । ଗତବର୍ଷ ମଧ୍ୟ ଏପ୍ରକାର ଡିଲ ହୋଇଥିଲା । ନିଷିଦ୍ଧାଞ୍ଚଳରୁ ମାଛ ମାରିବା ସହ ସମୁଦ୍ର ମଝିରେ ମାଛ ହାଟ ଚାଲିଥିଲା । ଏପରି ଡିଲରୁ ବଞ୍ଚତ୍ତ ହୋଇଥିବା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ମତ୍ସ୍ୟଜୀବୀମାନେ ବନ ବିଭାଗର ଆକ୍ରୋଶର ଶୀକାର ହୋଇ ଗିରଫ ହୋଇଛନ୍ତି । ଅପରପକ୍ଷେ କେତେଜଣ ପରିବେଶବିତ୍‌ ଏହି ଡିଲକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଗହୀରମଥାର ନିଷିଦ୍ଧାଞ୍ଚଳରେ ଟ୍ରଲର ଚଳାଚଳ କଲେ ଅଲିଭ ରିଡଲେଙ୍କ ଜୀବନହାନୀ ହେବ। ଗ୍ରୀଲନେଟ୍‌ରେ ପଡି ସେମାନେ ମୃତ୍ୟୁ ଘଟିବ । ଏଥିସହିତ କଇଁଛ ଓ ଶାବକ ଚୋରାଚାଲାଣ ପାଇଁ ବାଟ ଫିଟିବ। ଏପରି ହେଲେ ଆଗାମୀଦିନରେ ଗହୀରମଥାକୁ ଅସୁରକ୍ଷିତ ମନେ କରି ଅଲିଭରିଡଲେ ଆସିବେ ନାହିଁ ବୋଲି ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରିଛନ୍ତି । ଅପରପକ୍ଷେ ରେଞ୍ଜର ମାନସ ଦାଶ କହିଛନ୍ତି, ଏପରି ଡିଲ କେବେ ହୋଇନାହିଁ । ନିଷିଦ୍ଧାଞ୍ଚଳରେ କୌଣସି ମତ୍ସ୍ୟଜୀବୀ କିମ୍ବା ଟ୍ରଲର ମାଛ ସଂଗ୍ରହ କରୁଥିବା ନଜରକୁ ଆସିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସ୍ଥାନୀୟ ଅଞ୍ଚଳରେ ଏହା ଏକ ଅପପ୍ରଚାର ବୋଲି ରେଞ୍ଜର ଦାଶ କହିଛନ୍ତି ।