ଯୁଦ୍ଧ ଘୋଷଣାର ଅନ୍ତରାଳେ…

ଜେରୁଜେଲମ୍‌,୯ା୧୦: ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଲେବାନନ ଏବଂ ଗାଜାରେ ବଡ଼ ଧରଣର ସାମରିକ ଅପରେଶନ ହୋଇଥିଲା। କିନ୍ତୁ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନ ଥିଲା। ପରେ ଇସ୍ରାଏଲ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ଇସ୍ରାଏଲ ବର୍ତ୍ତମାନ ପର୍ଯ୍ୟନ୍ତ ଗାଜାରେ ୮୦୦ରୁ ଅଧିକ ଲୋକଙ୍କୁ ଟାର୍ଗେଟ କରିଛି। ଯେଉଁଥିରେ ହନୋନ ସହରର ଅଧିକାଂଶ ଅଂଶ ନଷ୍ଟ ହୋଇଯାଇଛି ଏବଂ ଅନେକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଇସ୍ରାଏଲ ରିୟର ଆଡମିରାଲ ଡାନିଏଲ ହାଗାରୀ କହିଛନ୍ତି, ହମାସ୍‌ ହନୋନ ସହରକୁ ଆକ୍ରମଣର ମୂଳ ସ୍ଥାନ ଭାବରେ ବ୍ୟବହାର କରୁଛି। ଏଥି ସହିତ ପାଲେଷ୍ଟାଇନର ହମାସ୍‌ର ଜଣେ ଆତଙ୍କବାଦୀ ନେତା କହିଛନ୍ତି, ଆମେ ଗାଜାରେ ୩୦ରୁ ଅଧିକ ଇସ୍ରାଏଲୀଙ୍କୁ ବନ୍ଧକ ରଖିଛୁ। ସେ କହିଛନ୍ତି, ଯେପର୍ଯ୍ୟନ୍ତ ଇସ୍ରାଏଲର ଜେଲରେ ବନ୍ଦୀ ଥିବା ସମସ୍ତ ପାଲେଷ୍ଟାଇନ ବନ୍ଦୀ ମୁକ୍ତ ନ ହୁଅନ୍ତି ସେ ପର୍ଯ୍ୟନ୍ତ ଇସ୍ରାଏଲୀୟମାନଙ୍କୁ ମୁକ୍ତ କରାଯିବ ନାହିଁ।

ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ହମାସ୍‌ ଅଧିକାରୀ କହିଛନ୍ତି, ଅଲ୍‌-ଅକ୍‌ସା ମସ୍‌ଜିଦରେ ଚାଲିଥିବା ଉତ୍ତେଜନା ଯୋଗୁ ଏହି ଆକ୍ରମଣ ହୋଇଛି। ଏହା ପୂର୍ବରୁ ୨୦୨୧ରେ ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ୧୧ଦିନ ଧରି ଯୁଦ୍ଧ ହୋଇଥିଲା। ଇସ୍‌ଲାମ ଧର୍ମରେ ଅଲ ଅକ୍‌ସା ମକ୍କା ଏବଂ ମଦିନା ପରେ ତୃତୀୟ ପବିତ୍ର ସ୍ଥାନ ଭାବରେ ପରିଗଣିତ ହୋଇଛି। ଏହାକୁ ନେଇ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ବିବାଦ ଚାଲିଛି।

Share