Advertisement

ଇଣ୍ଟରଭ୍ୟୁ ନେବାବେଳେ ଏଚ୍‌ଆର୍‌ଙ୍କ ଚାକିରି ଚାଲିଗଲା

ଓ୍ବାଶିଂଟନ୍‌,୨୯।୧: ବିଭିନ୍ନ ଆଇଟି କମ୍ପାନୀ ଏବେ କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି। ତେବେ ଏହି ସୂଚୀରୁ ଗୁଗଲ୍‌ ବାଦ୍‌ ପଡ଼ିନାହିଁ । କମ୍ପାନୀରୁ ଗୁଗଲ୍‌ ପାଖାପାଖି ୧୨,୦୦୦ କର୍ମଚାରୀଙ୍କୁ ବାହାର କରିବା ନେଇ ଘୋଷଣା କରିଛି। ଗୁଗଲ୍‌ରେ ଏଚ୍‌ଆର୍‌ (ହ୍ୟୁମାନ ରିସେର୍ସେସ୍‌) ଭାବେ କାର୍ଯ୍ୟ କରୁଥିବା ଡାନ୍‌ ଲାନିଗାଲ ର଼୍ୟାନ୍‌ଙ୍କୁ କିନ୍ତୁ କମ୍ପାନୀର ଏ ପ୍ରକାର ନିଷ୍ପତ୍ତି ବଡ଼ ଝଟକା ଦେଇଛି। ଡାନ୍‌ ଫୋନ୍‌ ଯୋଗେ ଜଣେ ଆବେଦନକାରୀଙ୍କ ଇଣ୍ଟରଭ୍ୟୁ ନେଉଥିବାବେଳେ ହଠାତ୍‌ ତାଙ୍କ କଲ୍‌ ସଂଯୋଗ କାଟି ଦିଆଯାଇଥିଲା। ଡାନ୍‌ କିଛି ବୁଝିପାରିବା ଆଗରୁ ସେ ବ୍ୟବହାର କରୁଥିବ କମ୍ପାନୀର କମ୍ପ୍ୟୁଟର ହଠାତ୍‌ ଲକ୍‌ ହୋଇଯାଇଥିଲା। ଡାନ୍‌ଙ୍କ ଇମେଲ୍‌ ମଧ୍ୟ କମ୍ପାନୀ ପକ୍ଷରୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ନ୍ୟୁଜ୍‌ ଦେଖି ସେ ଜାଣିବାକୁ ପାଇଲେ ଯେ, ତାଙ୍କୁ ଚାକିରିରୁ ବାହାର କରାଯାଇଛି।

ଏ ନେଇ ଡାନ୍‌ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ଯେ, ଗୋଟିଏ ବର୍ଷ ପୂର୍ବେ ସେ ଗୁଗଲ ଜଏନ୍‌ କରିଥିଲେ। ଗୁଗଲ୍‌ରେ ଚାକିରି କରିବା ତାଙ୍କ ପାଇଁ ସ୍ବପ୍ନ ଥିଲା, ଯାହା ପୂରା ମଧ୍ୟ ହୋଇଥିଲା। ତେବେ ଗୁଗଲର ଅନ୍ୟ କର୍ମଚାରୀମାନଙ୍କ ସହ କାମ କରିବା ତାଙ୍କ ପାଇଁ ଏକ ବଡ଼ ସୁଯୋଗ ଥିବାବେଳେ କମ୍ପାନୀରେ କାର୍ଯ୍ୟ କରି ସେ ଅନେକ ଜ୍ଞାନ ଆହରଣ କରିଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।

ଗୁଗଲ କମ୍ପାନୀରୁ କର୍ମଚାରୀ ଛଟେଇ ନେଇ ସିଇଓ ସୁନ୍ଦର ପିଚାଇ କହିଛନ୍ତି, କମ୍ପାନୀରୁ ୧୨୦୦୦ କର୍ମଚାରୀଙ୍କୁ କାର୍ଯ୍ୟନିବୃତ୍ତ କରିବା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଆମେରିକା କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଏ ନେଇ ଇ-ମେଲ୍‌ ଜରିଆରେ ଅବଗତ କରିଦିଆଯାଇଛି। ଅନ୍ୟ ଦେଶଗୁଡ଼ିକର ଭିନ୍ନ ନିୟମ ଯୋଗୁ ଏହି ପ୍ରଣାଳୀ ବିଳମ୍ବ ହେଉଥିବା ସୁନ୍ଦର ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share