ରାତିକରେ ୫୪ ମହିଳା ସମତେ ୫୭ ଗିରଫ

ଭୁବନେଶ୍ୱର,୪।୧୧ (ସୂର୍ଯ୍ୟକାନ୍ତ ବେହେରା): ଗାଁ ପୂରା ଜନଶୂନ୍ୟ। ଅଧିକାଂଶ ଘରେ ଝୁଲୁଛି ତାଲା। ଗୋଷ୍ଠୀ ସଂଘର୍ଷ ପରଠାରୁ ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପଦ୍ମକେଶରୀପୁରରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଖୋଜି ଖୋଜି ଗିରଫ କରୁଥିବାରୁ ଭୟରେ ଲୋକେ ତାଲା ପକାଇ ପଳାଉଥିବା ଦେଖିବାକୁ ମିଳିଛି। ପୃଥକ ମାମଲାରେ ପୂର୍ବରୁ ୭୪ଜଣ ଗିରଫ ହୋଇଥିବାବେଳେ ଏବେ ଗୋଟିଏ ରାତିରେ ଆଉ ୫୭ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କ ମଧ୍ୟରେ ୫୪ଜଣ ମହିଳା ଓ ୩ଜଣ ପୁରୁଷ ରହିଛନ୍ତି। ଫଳରେ ଏବେ ଗିରଫ ସଂଖ୍ୟା ୧୩୧କୁ ବୃଦ୍ଧି ପାଇଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ଗିରଫ ସଂଖ୍ୟା ବଢିପାରେ ବୋଲି ଜୋନ-୫ ଏସିପି ଗୌତମ କିଷାନ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ଅପରପକ୍ଷେ ଘଟଣା ପରଠାରୁ ଗାଁ ଖାଁ ଖାଁ ହୋଇଯାଇଛି। ଏବେ ଗାଁରେ କେତେଜଣ ବୁଢ଼ାବୁଢ଼ୀ ଓ ଛୋଟପିଲାଙ୍କୁ ଦେଖିବାକୁ ମିଳୁଛି। ସେମାନେ ମଧ୍ୟ ଭୟ ଓ ଚିନ୍ତାରେ ରହୁଛନ୍ତି। କାଳେ ପୋଲିସ ଗିରଫ କରିନେବ ସେହି ଭୟରେ ଅଧିକାଂଶ ଲୋକ ଗାଁ ଛାଡି ପଳାଇ ଯାଇଥିବା ସେମାନେ କହିଛନ୍ତି।
ସୂଚନାନୁସାରେ, ପଞ୍ଚାୟତ ନିର୍ବାଚନ ବିବାଦରୁ ପଦ୍ମକେଶରୀପୁରରେ ବାରମ୍ବାର ଗଣ୍ଡଗୋଳ ଘଟୁଛି। ଗତ ୨୬ ତାରିଖ ମଧ୍ୟରାତିରେ ଇଞ୍ଜଣା ପଞ୍ଚାୟତରେ ଥିବା ଏହି ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପର ଉପରକୁ ଟେକାପଥର ଓ ବୋତଲ ମାଡ କରିଥିଲେ। ଏଥିରେ ବହୁ ଲୋକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଉଭୟ ପକ୍ଷର ଅଭିଯୋଗ କ୍ରମେ ଦୁଇଟି ପୃଥକ ମାମଲା ରୁଜୁ କରାଯାଇଥିବା ବେଳେ ପୋଲିସ ନିଜ ଆଡୁ ମଧ୍ୟ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Share