ଧୂଳିକଣା ଯୋଗୁ ପୃଥିବୀ ପୃଷ୍ଠରେ ପହଞ୍ଚି ପାରୁନି ସୂର୍ଯ୍ୟ କିରଣ, ତାପମାତ୍ରା ବଢିବା ଆଶଙ୍କା

ନୂଆଦିଲ୍ଲୀ,୩୦।୧୨: ବାୟୁମଣ୍ଡଳରେ ଘେରି ରହିଥିବା ଧୂଳିକଣା(ଏରୋସେଲ) ସୂର୍ଯ୍ୟ କିରଣକୁ ସିଧାସଳଖ ପୃଥିବୀପୃଷ୍ଠକୁ ଆସିବାକୁ ରୋକୁଛି। ଏରୋସେଲ ଏକ ବିଷାକ୍ତ ଧୂଳିକଣା ଯାହା ବାୟୁମଣ୍ଡଳରେ ମିଶି ପ୍ରାଣୀ, ଉଦ୍ଭିଦ ଓ ମାନବ ସମାଜ ପାଇଁ କ୍ଷତିକାରକ ହୋଇଥାଏ। ଏଥିଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହା ଜଳବାୟୁ ଚକ୍ର ଉପରେ ପ୍ରଭାବ ପକାଉଛି ଯାହା ଦ୍ୱାରା ଗ୍ଲାସିୟର ତରଳିବାର ଆଶଙ୍କା ବୃଦ୍ଧି ପାଇଛି।

ଜୈବ ପନ୍ତ ରାଷ୍ଟ୍ରୀୟ ହିମାଳୟ ପର୍ଯ୍ୟାବରଣ ସଂସ୍ଥାନ ସମେତ ୧୦ଟି ଦେଶର ସଂସ୍ଥାନ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି। ବୈଜ୍ଞାନିକଙ୍କ ମତରେ ବାୟୁମଣ୍ଡଳରେ ଏବେ ଧୂଳିକଣାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଅଧ୍ୟୟନନୁସାରେ ଧୂଳି, ଜଳୀୟ ବାଷ୍ପ, ବାଦଲ ଓ ପ୍ରଦୂଷଣ କାରକ ସୂର୍ଯ୍ୟ କିରଣର ରାସ୍ତା ରୋକିବା ଦ୍ୱାରା ଏହା ଏହା ତେରଚ୍ଛା ଭାବରେ ପୃଥିବୀ ପୃଷ୍ଠରେ ପଡୁଛି। ବାୟୁମଣ୍ଡଳରେ ସୂର୍ଯ୍ୟ କିରଣ ଦୀର୍ଘ ସମୟ ଧରି ଗତି କରିବାରୁ ପୃଥିବୀ ପୃଷ୍ଠରେ ତାପମାତ୍ରା ବଢିବାରେ ଲାଗିଛି।

ଅଧ୍ୟୟନରୁ ଆହୁରି ଜଣାପଡିଛି କି, ଦକ୍ଷିଣ ଭାରତ ଅପେକ୍ଷା ଉତ୍ତର ଭାରତରେ ଏରୋସେଲର ମାତ୍ରା ଅଧିକ ରହିଛି। ବିଶେଷ କରି ରଜସ୍ଥାନ, ଗୁଜୁରାଟର ବାୟୁମଣ୍ଡଳରେ ଏରୋସେଲର ମାତ୍ରା ଅଧିକ ରହିଛି। କିନ୍ତୁ କେରଳ, କର୍ନାଟକ ଓ ତାମିଲନାଡୁରେ ଏରୋସେଲ କମ୍‌ ମାତ୍ରାରେ ମିଳିଛି।

Share