Categories: ଗଞ୍ଜାମ

ବିଏମ୍‌ସି କାର୍ଯ୍ୟାଳୟରେ ଖତ ଖାଉଛି ଡଷ୍ଟବିନ

ବ୍ରହ୍ମପୁର ଅଫିସ୍‌,୨୩।୫: ବ୍ରହ୍ମପୁର ମହାନଗରକୁ ସ୍ବଚ୍ଛ ସର୍ବେକ୍ଷଣ ଦାୈଡରେ ପ୍ରଥମ ସ୍ଥାନକୁ ନେଇ ବିଏମସି ଆଶା ରଖିଛି। ବିଏମସି ପକ୍ଷରୁ ସ୍ବଚ୍ଛତାକୁ ନେଇ ଜନସାଧାରଣଙ୍କ ମତାମତ ସଂଗ୍ରହ ପ୍ରକ୍ରିିୟା ମଧ୍ୟ ସରିଛି। କେବଳ ଫଳାଫଳକୁ ଅପେକ୍ଷା ରହିଛି। ଅନ୍ୟପଟେ ବିଏମସି ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସୁରକ୍ଷା ସରଞ୍ଜାମ ସହ ଡ୍ରେନ ସଫେଇ ପାଇଁ ଆଧୁନିକ ଯନ୍ତ୍ରପାତି ଉପଲବ୍ଧି କରାଯାଇଛି। ସହରର ବିଶେଷ କରି ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ପରିଷ୍କାର ପାଇଁ ଅଧିକ ଦୃଷ୍ଟି ଦିଆଯିବ। ଏଥିସହ ଅଳିଆ ଆର୍ବଜନା ଏଣେ ତେଣେ ନ ପକାଇ ଅଳିଆ ବୁହା ଗାଡିରେ ପକାଇବା ସଚେତନ କରାଯାଉଛି। ଏଥିସହ ନିୟମ ଉଲଂଘନ କରୁଥିବା ବ୍ୟବସାୟୀଙ୍କ ନିକଟରୁ ଜୋରିମାନା ଆଦାୟ ମଧ୍ୟ କରାଯାଉଛି। କିନ୍ତୁ ବିଏମସି ପକ୍ଷରୁ ସ୍ବଚ୍ଛ ସର୍ବେକ୍ଷଣ ମତାମତ ସଂଗ୍ରହ ସମୟରେ ସାନିଟେସନ ବିଭାଗ ପକ୍ଷରୁ ଆସିଥିବା ଲକ୍ଷାଧିକ ଟଙ୍କାର ଡଷ୍ଟବିନ ବର୍ତ୍ତମାନ ବିଏମସି କାର୍ଯ୍ୟାଳୟ ପରିସରରେ ଖତ ଖାଉଛି। ସୂଚନାଯୋଗ୍ୟ, ବିଏମସି ସାନିଟେସନ ବିଭାଗ ପକ୍ଷରୁ ଏହି ଡଷ୍ଟବିନ ଗୁଡିକ ପୋଖରୀ ଗୁଡିକରେ ୨ଟି ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ୨ଟି ଲେଖାଏଁ ଡଷ୍ଟବିନ ରଖାଯିବା ପାଇଁ ଯୋଜନା ରହିଥିଲା। ଏଭଳି ଭାବେ ସାନିଟେସନ ବିଭାଗ ପକ୍ଷରୁ ୧୦୦ଲିଟରରୁ ଉର୍ଦ୍ଧ୍ୱ ବିଶିଷ୍ଟ ୬୦ଟି ଡଷ୍ଟବିନ କ୍ରୟ କରାଯାଇଥିଲା। କିନ୍ତୁ କ୍ରୟ କରାଯିବା ପରେ ବର୍ତ୍ତମାନ ଏହା ଅବ୍ୟବହୃତ ଭାବେ ବିଏମସି କାର୍ଯ୍ୟାଳୟ ପରିସରରେ ମଧ୍ୟ ପଡି ରହିଛି। ଏଥିମଧ୍ୟରୁ କେତୋଟି ନଷ୍ଟ ହୋଇଯାଇଥିବା ବେଳେ କେତୋଟି ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି। ସହରର ସ୍ବଚ୍ଛତା ନିମନ୍ତେ ଆସିଥିବା ଡଷ୍ଟବିନ ବିଏମସି କାର୍ଯ୍ୟାଳୟ ପରିସରରେ ପଡି ରହିଥିବା ବେଳେ କେଉଁ କାରଣରୁ ଡଷ୍ଟବିନ ବ୍ୟବହାର ନେଇ ପଦକ୍ଷେପ ଗ୍ରହଣ କରଯାଉ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ନେଇ ବିଏମସି ଏନଫୋର୍ସମେଣ୍ଟ୍‌ ଅଧିକାରୀ ତରୁଣକାନ୍ତଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଡଷ୍ଟବିନ ପ୍ରଦାନ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ସହରର କେଉଁ ସ୍ଥାନରେ ଡଷ୍ଟବିନ ରଖାଯିବ ସେ ନେଇ ତାଲକା ପ୍ରସ୍ତୁତ କରାଯାଉଛି। ଏ ଦିଗରେ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।