Categories: ଖେଳ

ପୁଣି ଚର୍ଚ୍ଚାରେ ଦୂତୀ-ସରସ୍ବତୀ କଳି

ଭୁବନେଶ୍ୱର, ୨୬।୯(ସ୍ପୋଟର୍‌ସ ବ୍ୟୁରୋ): ରାଜ୍ୟର ଦୁଇ ତାରକା ଆଥଲେଟ୍‌ ତଥା ଦୁଇ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ବତୀ ଚାନ୍ଦଙ୍କ ମଧ୍ୟରେ ସୋସିଆଲ ମିଡିଆରେ କଳି ଏବେ ପୁଣି ଚର୍ଚ୍ଚାରେ ରହିଛି। ବ୍ୟକ୍ତିଗତ ଏବଂ ପାରିବାରିକ କାରଣରୁ ଦୁଇଜଣଙ୍କ ମଧ୍ୟରେ କଳି ଯଦିଓ ନୂଆ କଥା ନୁହେଁ, ତେବେ ଏଥର ଅତ୍ୟନ୍ତ ଅରୁଚିକର ପୋଷ୍ଟ ଓ୍ବାର ଏବଂ ଚରିତ୍ର ସଂହାର ସାନି ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଦୂତୀ ଏବେ ଏକ ଜାତୀୟ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ‘ଝଲକ ଦିଖ୍‌ଲାଜା’ ଶୋ’ରେ ଅଂଶଗ୍ରହଣ କରି ଜଜ୍‌ଙ୍କ ମନ ଜିତିଛନ୍ତି ଏବଂ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି। ଏହାକୁ କିନ୍ତୁ ଟାର୍ଗେଟ କରିଛନ୍ତି ବଡ଼ ଭଉଣୀ ସରସ୍ବତୀ।

ନାଚରୁ ଦୂତୀକୁ କ’ଣ ମିଳିଲା, ଓଡ଼ିଶା ସ୍ପୋଟର୍‌ସକୁ କ’ଣ ମିଳିଲା, ଦୂତୀଙ୍କ କୋଚ୍‌ଙ୍କୁ କ’ଣ ମିଳିଲା। ଦୂତୀ କେତେମାସ ଧରି ନାଚ ଅଭ୍ୟାସ କରୁଥିଲା, ସେହି ସମୟ ମଧ୍ୟରେ ଅଭ୍ୟାସ କିପରି କରୁଥିଲା, ଏଥିରୁ କେତେଟଙ୍କା ମିଳିଲା ଆଦି ପୋଷ୍ଟ କରିବା ସହ ଦୂତୀଙ୍କ ସ୍ପୋଟର୍‌ସ କ୍ୟାରିୟର ଶେଷ ହୋଇଗଲା। ଶସ୍ତା ଲୋକପ୍ରିୟତା ପାଇଁ ସେ ଏବେ ମନି ଓ ମୋନାଲିସାଙ୍କ ପଛରେ ପଡ଼ିଛନ୍ତି। ବାପା-ମା’ଙ୍କ ମଥା ଛୋଟ କରିବାକୁ ଚେଷ୍ଟା କରିବୁ ତ.. ତୋତେ ସ୍ପଏଲ୍‌ କରିଦେବି ବୋଲି ଉଲ୍ଲେଖ କରିଛନ୍ତି।

ଜବାବରେ ଦୂତୀ ସରସ୍ବତୀଙ୍କ ଚରିତ୍ର ସଂହାର କରିବା ସହ ‘ତୁ ବହୁତ କହିଲୁଣି, ମୁଁ ବହୁ ସହିଲିଣି, ଯଦି ଖୁସିରେ ବଞ୍ଚତ୍ବାର ଅଛି ତେବେ ସୁଧୁରିଯା, ନ ହେଲେ ତୋର କ’ଣ କରିବି ଭଲଭାବେ ଜାଣିଛୁ’ ବୋଲି ଉତ୍ତର ରଖିଛନ୍ତି। ଦୂତୀ ଓ ସରସ୍ବତୀ ରାଜ୍ୟର ଯେ ଦୁଇଜଣ ତାରକା ଆଥ୍‌ଲେଟ ଏଥିରେ ଦ୍ୱିମତ ନାହିଁ। ଦୂତୀ ୨ ଥର ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ ସହ ଏସିଆନ ଗେମ୍ସ ସମେତ ଅନ୍ତର୍ଜାତୀୟସ୍ତରରେ ଅନେକ ପଦକ ହାସଲ କରି ରାଜ୍ୟର ଗୌରବ ବଢ଼ାଇଛନ୍ତି।

Share