Categories: ଖେଳ

ବାପା ଭୂମିକା ତୁଲାଇବେ ଦୂତୀ

ଭୁବନେଶ୍ୱର, ୧୩।୫ (କ୍ରୀଡ଼ା ପ୍ରତିନିଧି): ସମଲିଙ୍ଗୀ ବିବାହକୁ ନେଇ ତର୍କବିତର୍କ ଲାଗି ରହିଥିବାବେଳେ ଭାରତର ସ୍ପ୍ରିଣ୍ଟ୍‌ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ୪ ବର୍ଷ ତଳେ ସମଲିଙ୍ଗୀ ବିବାହ ସମ୍ପର୍କରେ ପ୍ରକାଶ କରି କ୍ରୀଡ଼ା ମହଲରେ ଚର୍ଚ୍ଚିତ ହୋଇଥିବା ଦୂତୀ ଏବେ ଜାତୀୟ ସ୍ତରର ଏକ ମାଗାଜିନର ପ୍ରଚ୍ଛଦପଟରେ ସ୍ଥାନ ପାଇଛନ୍ତି। ସେଥିରେ ସେ ନିଜ ବାନ୍ଧବୀ ମୋନାଲିସା ଦାସଙ୍କ ମଥାରେ ସିନ୍ଦୂର ପିନ୍ଧାଉଥିବା ଫଟୋ ରହିଛି। ସ୍ପଷ୍ଟବାଦୀ ଦୂତୀ ସମଲିଙ୍ଗୀ ସମ୍ପର୍କକୁ ନେଇ ସମାଜରେ ଲୋକଙ୍କର ଚିନ୍ତାଧାରା ବଦଳିଛି ବୋଲି କହିଛନ୍ତି। ”ପୂର୍ବରୁ ଏପରି ସମ୍ପର୍କକୁ ନେଇ ସମସ୍ତେ ବିଭିନ୍ନ କଥା କହୁଥିଲେ। ମାତ୍ର ଏବେ ବିଭିନ୍ନ ମହଲରୁ ସମର୍ଥନ ମିଳିବାରେ ଲାଗିଛି। ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ତୁର୍କୀ ଆଦି ଦେଶରେ ଏହା ବୈଧ। ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଏଥିପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଭବିଷ୍ୟତରେ ଯଦି ବି ଆମେ ପୋଷ୍ୟସନ୍ତାନ ଗ୍ରହଣ କରୁ କିମ୍ବା ସେପରି କିଛି ହୁଏ ତେବେ ଜଣେ ବାପାର ସମସ୍ତ କର୍ତ୍ତବ୍ୟ ମୁଁ ନିଶ୍ଚିତ ସମ୍ପାଦନ କରିବି“ ବୋଲି ସେ ପ୍ରକାଶ କରିଛନ୍ତି। ଦୂତୀ ଆହୁରି କହିଛନ୍ତି ଯେ, ୨୦୧୯ରେ ଆମେ ଚଣ୍ଡିଖୋଲସ୍ଥିତ ମହାବିନାୟକ ମନ୍ଦିରରେ ମାଳ ବଦଳକରି ବିବାହ କରି ସାରିଛୁ। ସେତେବେଳେ ପରିବାରରୁ ବିରୋଧ ହୋଇଥିଲା। ମାତ୍ର ଧୀରେ ଧୀରେ ସମସ୍ତେ ସବୁକିଛି ବୁଝି ପାରିଥିଲେ। ଏବେ ଆଉ ସେ ସ୍ଥିତି ନାହିଁ। ତେଣୁ ମୋ ମନରେ ମଧ୍ୟ ଭୟ ନାହିଁ। ମୋ ବିବାହକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଛି। ମାତ୍ର ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଉପରେ ମୁଁ ଫୋକସ କରୁଛି। ଏଥିପାଇଁ ମୁଁ ନିଜକୁ ପ୍ରସ୍ତୁତ କରୁଛି। ଅଲିମ୍ପିକ୍ସ ପରେ ମୁଁ ଆଇନଗତଭାବେ ବିବାହ କରିବି ବୋଲି ସେ ପ୍ରକାଶ କରିଛନ୍ତି।

Share