Categories: ଖେଳ

ସିଏସ୍‌କେ ହାରିବା ପରେ ପରେ ବ୍ରାଭୋଙ୍କୁ ମିଳିଲା ଖୁସିଖବର, ଟି୨୦ ବିଶ୍ୱକପ୍‌ରେ…

ନୂଆଦିଲ୍ଲୀ,୨୨।୫: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ଡୱେନ ବ୍ରାଭୋ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ତୁଲାଉଥିଲେ। ଦଳ ଟୁର୍ନାମେଣ୍ଟରୁ ବାହାରିବାର ୪ ଦିନ ହୋଇଥିବା ବେଳେ ତାଙ୍କୁ ନୂଆ ଖୁସିଖବର ମିଳିଛି। ଟି-୨୦ ବିଶ୍ୱକପରେ ଆଫଗାନିସ୍ତାନ ଟିମର ବୋଲିଂ କନସଲଟାଣ୍ଟ ଭାବେ ସେ କାମ କରିବେ। ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଏନେଇ ଘୋଷଣା କରିଛି।

ଟି-୨୦ ବିଶ୍ୱକପ ପାଇଁ ଆଫଗାନିସ୍ତାନ ଟିମ ଓ୍ବେଷ୍ଟଇଣ୍ଡିଜର ସେଣ୍ଟ କିଟ୍ସକୁ ଆସି ସାରିଛି। ଏଠାରେ ଦଳ ୧୦ ଦିନିଆ ଟ୍ରେନିଂ କ୍ୟାମ୍ପ କରିବ। ଏହି ସମୟରେ ବ୍ରାଭୋ ଦଳ ସହ ସାମିଲ ହେବେ।

୪୦ ବର୍ଷୀୟ ବ୍ରାଭୋ ଇଣ୍ଡିଜ ଟିମରେ ବୋଲିଂ ଅଲରାଉଣ୍ଡର ଭାବେ ଖେଳୁଥିଲେ। ସେ ୨୯୫ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୬୪୨୩ ରନ କରିବା ସହ ୩୬୩ଟି ଉଇକେଟ ନେଇଛନ୍ତି। ଏହାବାଦ ସେ ୧୦୦ ଟି ପ୍ରଥମ ଶ୍ରେଣୀ, ୨୨୭ଟି ଲିଷ୍ଟ ଏ ଓ ୫୭୩ ଟି-୨୦ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି।

ଟି-୨୦ କ୍ରିକେଟରେ ସର୍ବାଧିକ ଉଇକେଟ ଦଖଲକାରୀ କ୍ରିକେଟର ହେଉଛନ୍ତି ବ୍ରାଭୋ। ସେ ୫୭୩ ମୁକାବିଲାରେ ୬୨୫ଟି ଉଇକେଟ ନେବା ସହ ଏହି ଫର୍ମାଟରେ ପ୍ରାୟ ୭ ହଜାର ରନ୍‌ କରିଛନ୍ତି। ଏହାଛଡ଼ଶ ଆଇପିଏଲ୍‌ରେ ସେ ୧୮୧ ଉଇକେଟ ସହ ସେ ତୃତୀୟ ସର୍ବାଧିକ ଉଇକେଟ ନେଇଥିବା ବୋଲର୍‌ ପାଲଟିଛନ୍ତି। ସେ ଟି-୨୦ ବିଶ୍ୱକପ, ଚାମ୍ପିୟନ୍ସ ଟ୍ରଫି, ଆଇପିଏଲ୍‌ ଟ୍ରଫି ଓ ସିପିଏଲ୍‌ ଟ୍ରଫି ମଧ୍ୟ ଜିତିଛନ୍ତି।

 

Share