ହସ୍ପିଟାଲରେ ଭୟଙ୍କର ଇନ୍ଧନ ଅଭାବ: ବିଶ୍ୱକୁ ଇନ୍ଧନ ଯୋଗାଇ ଦେବାକୁ ନିବେଦନ କଲେ ଡାକ୍ତର

ଗାଜା,୨୪।୧୦: ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ ଗାଜାର ଅଧିକାଂଶ ଅଞ୍ଚଳ ଭୟଙ୍କର କ୍ଷତିଗ୍ରସ୍ତ ହୋଇଛି। ହମାସ ଆତଙ୍କବାଦୀଙ୍କୁ ମୂଳପୋଛ କରିବାକୁ ଇସ୍ରାଏଲ ସେନା ଲାଗିପଡିଛି। ଏଭଳିସ୍ଥିତିରେ ଗାଜାର ହସ୍ପିଟାଲଗୁଡିକରେ ଇନ୍ଧନ ଯୋଗାଣ ହ୍ରାସ ପାଇଛି। ଫଳରେ ହସ୍ପିଟାଲରେ ଥିବା ଜେନେରେଟରଗୁଡିକରେ ସ୍ବଳ୍ପ ପରିମାଣର ଇନ୍ଧନ ରହିଛି। ଏପରି କି ଏହା କିଛି ଘଣ୍ଟା ମଧ୍ୟରେ ଶେଷ ହୋଇଯିବା ଆଶଙ୍କା ରହିଛି। ବର୍ତ୍ତମାନ ଏହା ଡାକ୍ତରମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିବା ବେଳେ ହସ୍ପିଟାଲର ଇନ୍‌କ୍ୟୁବେଟରରେ ରଖାଯାଇଥିବା ଶିଶୁଙ୍କ ପାଇଁ ଏହା ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ଏନେଇ ଗାଜାର ନିଓନିଟାଲ ଇଣ୍ଟେନ୍‌ସିଭ କେୟାର ୟୁନିଟ୍‌ର ଡାକ୍ତରମାନେ ସମଗ୍ର ବିଶ୍ୱକୁ ଇନ୍ଧନ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ହସ୍ପିଟାଲରେ ଇନ୍ଧନ ଏବଂ ଜରୁରୀ ମେଡିସିନର ଘୋର ଅଭାବ ରହିଛି। ଯଦି ତେଲ ଅଭାବରୁ ଇନ୍‌କ୍ୟୁବେଟରଗୁଡିକ ବନ୍ଦ ହୋଇଯାଏ ତା’ହେଲେ ୫୫ଜଣ ଶିଶୁଙ୍କ ଜୀବନ ଚାଲିଯିବାର ଆଶଙ୍କା ରହିଥିବା ଡାକ୍ତରମାନେ ପ୍ରକାଶ କରିଛନ୍ତି।

ଅଲ୍‌ ଶିଫା ହସ୍ପିଟାଲର ଡାକ୍ତର ନସୀର ବୁଲ୍‌ବୁଲ କହିଛନ୍ତି, କ୍ରିଟିକାଲ ବିଭାଗ ପାଇଁ ଜରୁରୀ ମେଡିସିନର ଆବଶ୍ୟକତା ରହିଛି। ଜରୁରୀ ମେଡିସିନ ପାଇଁ ଆମେ ସମସ୍ତ ଦେଶକୁ ଅନୁରୋଧ କରିଛୁ। ଯଦି ମେଡିସିନ ନ ମିଳିବ, ଭୟଙ୍କର ବିପର୍ଯ୍ୟୟର ସମ୍ମୁଖୀନ ହେବୁ ବୋଲି ସେ କହିଛନ୍ତି।

ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅଶରଫ ଅଲ୍‌ କିଦ୍ରା କହିଛନ୍ତି, ଇଲେକ୍ଟ୍ରିକ ଇନ୍‌କ୍ୟୁବର୍ସରେ ୧୩୩ ଜଣ ନବଜାତ ରହିଛନ୍ତି। ହସ୍ପିଟାଲଗୁଡିକରେ ଥିବା ଜେନେରେଟରଗୁଡିକରେ ତେଲ ଶେଷ ହେବାକୁ ଲାଗିଛି। ବିଶେଷ କରି ଗାଜାର ସବୁଠାରୁ ବଡ଼ ହସ୍ପିଟାଲ ଶିଫାରେ ଥିବା ଜେନେରେଟର ଟାଙ୍କିରେ ତେଲ ପରିମାଣ ସ୍ବଳ୍ପ ରହିଛି। ଜୀବନ ରକ୍ଷାକାରୀ ଉପକରଣଗୁଡିକ ପାଇଁ ତେଲ ସୁଇଚ୍‌କୁ ଖୋଲା ରଖାଯାଇଛି। ହେଲେ ସେଗୁଡିକ କେତେ ସମୟ ଚାଲିବ, ତାହା ଜଣାନାହିଁ। ବିଶ୍ୱକୁ ତେଲ ଯୋଗାଇ ଦେବାକୁ ନିବେଦନ କରୁଛି। ତେଲ ଯୋଗାଣ ସମ୍ଭବ ହୋଇଯିବ ବୋଲି ଆଶା କରୁଥିବା ସେ କହିଛନ୍ତି।

Share