ଗୋପ,୧୧।୧(ଡି.ଏନ୍.ଏ.): ପୁରୀ ଜିଲାର ଗୋପ, କୋଣାର୍କ ଅଞ୍ଚଳରେ ତୈଳ ସନ୍ଧାନ ଚାଲୁଥିବାବେଳ ମାଟି ତଳେ ଡିନାମାଇଟ ଫୁଟୁଛି। ଗାଁ ନିକଟରେ ଡିନାମାଇଟ ଫୁଟୁଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡୁଛନ୍ତି। ଏପରିକି ଡିନାମାଇଟ ଫୁଟିବାରୁ ଗୋପ ବ୍ଲକ ଅଧୀନ ଆମ୍ବିଳି ଗାଁରେ ଘର, ଛାତ ସହ ଗାଁର ମନ୍ଦିର ଆଦି ଫାଟିଥିବା ଅଭିଯୋଗ ହୋଇଛି। ହେଲେ ପ୍ରଶାସନ, ପୋଲିସ ଏପରି ଘଟଣାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ସୂଚନାଯୋଗ୍ୟ, କିଛି ଦିନ ଧରି ଗୋପ ବ୍ଲକ ଅଞ୍ଚଳରେ ତୈଳ ସନ୍ଧାନ ଲାଗି ହଜାର ହଜାର ଶ୍ରମିକ ବିଭିନ୍ନ ଗାଁ, ଚାଷଜମିରେ ତାର ବିଛାଇ ତୈଳ ସନ୍ଧାନ କରୁଛନ୍ତି। ହେଲେ ଏ ତୈଳ ସନ୍ଧାନ କିଏ କରୁଛି ସେନେଇ କାହା ପାଖରେ ଠିକ୍ ଖବର ନାହିଁ। ୨ ଦିନ ତଳେ ମହଲପଡ଼ା ପଞ୍ଚାୟତର ଆମ୍ବିଳି ଗାଁର ଏକ ଚାଷ ଜମିରେ ଏକକାଳୀନ ୩ଟି ଡିନାମାଇଟ ଫୁଟିବା ଯୋଗୁ ଗ୍ରାମବାସୀ ଆତଙ୍କିତ ହୋଇଛନ୍ତି। ଗାଁର ଦିଲୀପ ପଣ୍ଡା, ଲୋକନାଥ ବେହେରା, ମନୋରମା ପଣ୍ଡା, ରାଧାଶ୍ୟାମ ମଲ୍ଲିକଙ୍କ ଘରର କାନ୍ଥ, ଛାତ ସହ ସ୍ଥାନୀୟ ଏକ ମନ୍ଦିରର ଆଜବେଷ୍ଟସ ଭାଙ୍ଗିଯାଇଥିଲା। କ୍ଷତିଗ୍ରସ୍ତ ଲୋକମାନେ କ୍ଷତିପୂରଣ ପାଇଁ ଦାବି କରିଛନ୍ତି। ଏହି ଅଞ୍ଚଳର କେତେକ ଗ୍ରାମ କୋଣାର୍କ ଥାନା ଅଧୀନରେ ଥିବାବେଳେ କ୍ଷତିଗ୍ରସ୍ତ ଲୋକେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରି ନ ଥିବା ଆଇଆଇସି ରଞ୍ଜନ ମଲ୍ଲିକ କହିଛନ୍ତି। ଅପରପକ୍ଷେ ଗୋପ ତହସିଲଦାର ପ୍ରେମାଂଶୁ ଚାନ୍ଦ କହଛନ୍ତି, ଅଏଲ ଇଣ୍ତିଆ ପକ୍ଷରୁ ଏହି ତୈଳ ସନ୍ଧାନ କାର୍ଯ୍ୟ ଚାଲିଛି। ଡିନାମାଇଟ ଫୁଟିବାରେ ଯଦି କିଛି ଭାଙ୍ଗିଛି, ତେବେ କୌଣସି ଅଭିଯୋଗ ଆସିଲେ ତଦନ୍ତ କରାଯାଇ କ୍ଷତିପୂରଣ ଦିଆଯିବ।