ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ବୋମା ବିସ୍ଫୋରଣରେ ୩ ଘରର ଛାତ ଉଡ଼ି ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଗାଁ’ରେ ଚାଲିଥିବା ମା’ ଦଣ୍ଡକାଳୀଙ୍କ ନାଚ ଦେଖିବାକୁ ଯାଇଥିବା ୩ ପରିବାର ଲୋକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।
ସ୍ବାମୀ-ସ୍ତ୍ରୀ କଳହରୁ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଗ୍ରାମର ଗୌଡ଼ ସାହି ବାସିନ୍ଦା ବି. ଲାଛୁ ଦୋରାଙ୍କ ଜ୍ବାଇଁ ସୁରେନ୍ଦ୍ର ଦୋରା ଏହି ଘଟଣା ଘଟାଇଥିବା ଜଣାପଡ଼ିଛି। ସମ୍ବଲପୁର ଜିଲା ରଣାବନ୍ଧ ଗ୍ରାମର ସୁରେନ୍ଦ୍ର ପ୍ରାୟ ୭ ବର୍ଷ ପୂର୍ବେ ବି. ଲାଛୁ ଦୋରାଙ୍କ ଝିଅ ଗୀତାଞ୍ଜଳୀଙ୍କୁ ବିବାହ କରିଥିଲେ। ସୁରେନ୍ଦ୍ର ଭୁବନେଶ୍ଵରରେ ଦିନ ମଜୁରିଆ କାମ କରୁଥିବା ବେଳେ ପ୍ରାୟ ୬ ମାସ ପୂର୍ବେ ଶ୍ଵଶୁର ଘର କୁଶପଡ଼ା ଗ୍ରାମକୁ ଆସି ଅନୀଲ ସାହୁଙ୍କ ଘରେ ସସ୍ତ୍ରିକ ଭଡ଼ା ରହୁଥିଲେ।
୩ ଦିନ ପୂର୍ବେ ସୁରେନ୍ଦ୍ର ଭୁବନେଶ୍ଵରରୁ କୁଶପଡା ଗ୍ରାମକୁ ଆସିଥିବା ବେଳେ ମଙ୍ଗଳବାର ରାତିରେ କୈାଣସି କାରଣରୁ ସ୍ତ୍ରୀ’ଙ୍କ ସହ ପ୍ରବଳ ଯୁକ୍ତିତର୍କ ପରେ ଝଗଡା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ ସ୍ତ୍ରୀ ଓ ତାଙ୍କ ୫ ବର୍ଷ ବୟସର ପୁଅକୁ ନେଇ ଶୋଇଥିବା ବେଳେ ଉଭୟଙ୍କୁ ଜୀବନରେ ମାରିଦେବା ପାଇଁ ଉକ୍ତ ଭଡ଼ା ଘରେ ସୁରେନ୍ଦ୍ର ଡିନାମାଇଟ ଖଞ୍ଜି ବିସ୍ଫୋରଣ ଘଟାଇଥିଲେ। କିନ୍ତୁ ସ୍ୱଳ୍ପ ସମୟ ପୂର୍ବରୁ ସ୍ତ୍ରୀ ତାଙ୍କ ପୁଅ’ଙ୍କୁ ଧରି ଦଣ୍ଡନାଚ ଦେଖିବାକୁ ପାଖ ପଡୋଶୀଙ୍କ ସହ ପଳାଇଥିଲେ।
ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଗ୍ରାମବାସୀ ଖୁସି ମନରେ ନାଚ ଦେଖୁଥିବା ବେଳେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ପ୍ରଥମେ ଗ୍ରାମବାସୀ ଭୟଭୀତ ହୋଇଯାଇଥିଲେ। ବହୁ ସଂଖ୍ୟକ ଲୋକେ ଘଟଣାସ୍ଥଳକୁ ଦୈାଡି ଯାଇ ଦେଖିବା ବେଳକୁ ଗ୍ରାମର ଅନୀଲ ସାହୁ, ବାବୁ ସାହୁ ଏବଂ ଦଣ୍ଡପାଣି ସାହୁଙ୍କ ଘର ଛାତ ଭାଙ୍ଗି ଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଏହି ବିସ୍ଫୋରଣରେ ବାବୁ ସାହୁଙ୍କ ଘରେ ଭଡ଼ାରେ ରହୁଥିବା ଶୁଭଶ୍ରୀ ବିଷୋୟୀ ଏବଂ ଅନିଲ ,ଦଣ୍ଡପାଣି ୨ ପରିବାରଙ୍କ ଲକ୍ଷାଧିକ ଟଙ୍କା ମୂଲ୍ୟର ଆସବାବ ପତ୍ର ଧ୍ବଂସ ହୋଇଯାଇଛି।
ସୁରେନ୍ଦ୍ର ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖି ଦିଗପହଣ୍ଡି ଥାନାକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଟିମ୍ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛନ୍ତି। ଅନୀଲ ସାହୁଙ୍କ ଏତଲା କ୍ରମେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।